ଅଲପନ୍ ଙ୍କ ଵିରୁଦ୍ଧରେ ଫୌଜଦାରୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଵାକୁ କେନ୍ଦ୍ର ଯୋଜନା କରୁଛି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଟାର୍ଗେଟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ। ଗତ ସପ୍ତାହରେ କାଲାଇକୁଣ୍ଡାରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗ ଦେଇ ନ ଥିବାରୁ ଏବଂ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ଉପସ୍ଥିତ ନଥିବାରୁ ତାଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଅପରାଧିକ ମାମଲା ରୁଜୁ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଅପରପକ୍ଷେ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଯଦି ଏପରି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ତାଙ୍କୁ ରକ୍ଷା କରିବାକୁ ବେଙ୍ଗଲ ସରକାର ଆଗକୁ ଆସି ପାରନ୍ତି ବୋଲି ଆଶା କରାଯାଉଛି। ମେ 31 ରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେଇଥିଲେ ଅଲପନ ବନ୍ଦୋପାଧ୍ୟାୟ। ବାନ୍ଦୋପାଧ୍ୟାୟଙ୍କୁ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଆଧାରରେ କେନ୍ଦ୍ର ସରକାର ନୋଟିସ୍ ଜାରି କରି ତିନି ଦିନ ମଧ୍ୟରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସାଙ୍ଗକୁ ଜୋରିମାନା ଲଗାଯିବାର ପ୍ରବନ୍ଧନ ରହିଛି । ବିପର୍ଯ୍ୟୟ ପରିଚାଳନା ଆଇନର ଧାରା 51 ଅନୁଯାୟୀ ତାଙ୍କୁ ଏହି ବିଜ୍ଞପ୍ତି ଜାରି କରାଯାଇଛି ଯେଉଁଥିରେ ଦର୍ଶାଯାଇଛି ଯେ “ଯିଏ ଯୁକ୍ତିଯୁକ୍ତ କାରଣ ବିନା କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର କିମ୍ବା ଜାତୀୟ କାର୍ଯ୍ୟନିର୍ବାହୀ କମିଟି କିମ୍ବା ରାଜ୍ୟ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ ନକରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସାଙ୍ଗକୁ ଜୋରିମାନା ଲଗାଯିବାର ନିୟମ ରହିଛି । ”ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଯଦି କୌଣସି ଅଧିକାରୀଙ୍କ କାରଣରୁ କୌଣସି ଲୋକଙ୍କ ଜୀବନ ହାନୀ ହୋଇଥାଏ ତେବେ ଉକ୍ତ ଅଧିକାରୀଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ। ପଶ୍ଚିମବଙ୍ଗ ସରକାରର ଅଧିକାରୀମାନେ ନ୍ୟୁଜ୍ 18 କୁ କହିଛନ୍ତି ଯେ ଯଦି ଅଲପନଙ୍କ ବିରୋଧରେ କେନ୍ଦ୍ର ସରକାର କୌଣସି ଆଇନଗତ ଯାଞ୍ଚ ଆରମ୍ଭ କରନ୍ତି ତେବେ ସେମାନେ କୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି । “ମୁଖ୍ୟ ସଚିବ ଜଣେ ସର୍ବ ଭାରତୀୟ ସେବା ଅଧିକାରୀ ହୋଇଥିବାରୁ ତାଙ୍କର ସାମ୍ବିଧାନିକ କର୍ତ୍ତବ୍ୟକୁ ଅଣଦେଖା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ସରକାରଙ୍କ କୌଣସି ଅଧିକାରୀ ଯୋଗ ନଦେବା ମୁଖ୍ୟ ଶାସନ ସଚିବଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ପାଳନକୁ ଅଙ୍ଗୁଳି ଉଠାଉଛି । ଭାରତର ସମସ୍ତ ଅଧିକାରୀ ରାଜନୀତିର ଉର୍ଦ୍ଧ୍ବରେ ବୋଲି କେନ୍ଦ୍ର ସରକାରଙ୍କ ଅଧିକାରୀ କହିଛନ୍ତି। ମେ 31 ଅଲପନ ବନ୍ଦୋପାଧ୍ୟାୟ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିଯାଇଥିଲେ। ଅପରପକ୍ଷରେ ଯଦି କେନ୍ଦ୍ର ସରକାର ତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତି ତେବେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଉ ଏକ ବିବାଦ ଉପୁଜିବାର ସମ୍ଭାବନା ରହିଛି।

Related Posts