ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଧାର କାଡୟ ନୁହେଁ କେବଳ ମାସ୍କଡ ଆଧାର କାର୍ଡ ବ୍ୟବହାର କରିବାକୁ ପରମଶୟ ଦେଲେ କେନ୍ଦ୍ର ସରକାର । ତେବେ ଅପବ୍ୟବହାର ରୋକିବା ଲାଗି ପ୍ରକୃତ ଆଧାର କାର୍ଡ ନୁହେଁ, କେବଳ ଆଧାର କାର୍ଡର ‘ମାସ୍କଡ୍‌ କପି’ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର ସରକାର ନାଗରିକମାନଙ୍କୁ କହିଛନ୍ତି। ଆଜି ଏକ ‘ପ୍ରେସ୍‌ ରିଲିଜ୍‌’ରେ ସରକାର କହିଛନ୍ତି: ଅପବ୍ୟବହାର ହେବାର ଆଶଙ୍କା ଥିବାରୁ କୌଣସି ସଂସ୍ଥାକୁ ଆପଣଙ୍କ ‘ଆଧାର କାର୍ଡ’ର ଜେରକ୍ସ୍‌ କପି ଦିଅନ୍ତୁ ନାହିଁ। ଏହା ପରିବର୍ତ୍ତେ, ଦୟାକରି ଆପଣଙ୍କ ଆଧାର କାର୍ଡର ‘ଶେଷ ଚାରିଟି ନମ୍ବର’ ଦେଖାଉଥିବା ‘ମାସ୍କଡ୍‌ ଆଧାର’ ବ୍ୟବହାର କରନ୍ତୁ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ୍‌ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଜାରି କରିଥିବା ଉକ୍ତ ବିଜ୍ଞପ୍ତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ହୋଟେଲ୍‌ ଏବଂ ସିନେମା ହଲ୍‌ ଭଳି ଘରୋଇ ସଂସ୍ଥାନଗୁଡ଼ିକୁ ଆଧାର କାର୍ଡର କପି ସଂଗ୍ରହ କରିବା ଅଥବ ରଖିବାକୁ ଅନୁମତି ଦିଆଯାଇ ନାହିଁ।

କେବଳ ‘ୟୁନିକ୍ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ରୁ ‘ୟୁଜର୍ସ ଲାଇସେନ୍‌ସ୍‌’ ପ୍ରାପ୍ତ ସଂସ୍ଥାନଗୁଡ଼ିକ କ‌ୌଣସି ବ୍ୟକ୍ତିଙ୍କର ପରିଚୟ ଜାଣିବା ଲାଗି ଆଧାର କାର୍ଡ ବ୍ୟବହାର କରିପାରିବେ ବୋଲି ସରକାର କହିଛନ୍ତି। ତେଣୁ, ଆଧାର କାର୍ଡ ସେୟାର୍‌ କରିବା ପୂର୍ବରୁ ନାଗରିକମାନେ ଉକ୍ତ ସଂସ୍ଥାନ ସବୁ ‘ୟୁଆଇଡିଏଆଇ’ରୁ ବୈଧ୍ୟ ‘ୟୁଜର୍ସ ଲାଇସେନ୍‌ସ୍‌’ ପାଇଛନ୍ତି କି, ନାହିଁ ଯାଞ୍ଚ କରିବା ଲାଗି ସରକାର ନାଗରିକମାନଙ୍କୁ କହିଛନ୍ତି। ଏହାଛଡ଼ା, ସରକାର ଜନସାଧାରଣଙ୍କୁ ସତର୍କ କରାଇ କହିଛନ୍ତି ଯେ, ନିଜ ନିଜର ଆଧାର କାର୍ଡ ଡାଉନ୍‌ଲୋଡ୍‌ କରିବା ନିମନ୍ତେ ସେମାନେ ଇଣ୍ଟର୍‌ନେଟ୍‌ କେଫ୍‌ରେ ଥିବା ସର୍ବସାଧାରଣଙ୍କ ବ୍ୟବହାର ନିମେନ୍ତ ଉଦ୍ଦିଷ୍ଟ କମ୍ପ୍ୟୁଟର୍‌ ବ୍ୟବହାର କରିବା ଅନୁଚିତ। ଯଦି ସେଭଳି କରୁଥାଆନ୍ତି, ତେବେ ଉକ୍ତ କମ୍ପ୍ୟୁଟର୍‌ରେ ଡାଉନ୍‌ଲୋଡ୍‌ ହୋଇଥିବା ‘ଇ-ଆଧାର’ କପିକୁ ସମ୍ପୂର୍ଣ୍ଣରୂପେ ଡିଲିଟ୍‌ କରିଦିଅନ୍ତୁ।