କାହା ସ୍ବାର୍ଥରେ ହୋର୍ଡିଂ ଟେଣ୍ଡର ନିୟମ ପରିବର୍ତ୍ତନ କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ? ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ସରକାରୀ ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସବୁ ଜିଲ୍ଲାର ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଲାଗିବ ସରକାରୀ ହୋର୍ଡିଂ । ତେବେ ଏଥିପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରାୟ ୪୧ହଜାର ହୋର୍ଡିଂ ଲଗାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, କିଛି ନିର୍ଦ୍ଦିଷ୍ଟ ସଂସ୍ଥାଙ୍କୁ କାମ ଦେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଟେଣ୍ଡର ନିୟମରେ ପରିବର୍ତ୍ତନ କରିଛନ୍ତି ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ମାସ ୨ ତାରିଖରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ହୋର୍ଡିଂ ଟେଣ୍ଡର ବିଜ୍ଞାପନ ପ୍ରକାଶ ପାଇଥିଲା। କିନ୍ତୁ ନିୟମରେ ପରିବର୍ତ୍ତନ କରିଦିଆଯାଇଛି। ପୂର୍ବରୁ ହୋ‌ର୍ଡିଂ ଟେଣ୍ଡରରେ ଭାଗ ନେବା ପାଇଁ ଯେଉଁ ମାନେ (ପଞ୍ଜୀକୃତ ବ୍ୟକ୍ତି, ସଂସ୍ଥା କିମ୍ବା ଫାର୍ମ) ବର୍ଷକରେ ଅତିକମ୍‌ରେ ଗୋଟିଏ ୫ଲକ୍ଷ ଟଙ୍କାର ହୋର୍ଡିଂ ଲଗାଇଥିବେ ଏବଂ ବାର୍ଷିକ ୨୦ଲକ୍ଷ ଟଙ୍କା ହିସାବରେ ତିନି ବର୍ଷର ଟର୍ଣ୍ଣଓଭର ଥିବ ସେମାନଙ୍କୁ ସୁଯୋଗ ମିଳୁଥିଲା। କିନ୍ତୁ ଏଥର ବିଜ୍ଞପ୍ତି ପ୍ରକାଶ ପାଇବା ସମୟରେ ନିୟମ ପରିବର୍ତ୍ତନ କରିଦିଆଗଲା ଯେ, ଜଣେ ପଞ୍ଜୀକୃତ ବ୍ୟକ୍ତି, ସଂସ୍ଥା, ଫାର୍ମ ଗତ ୫ବର୍ଷ ମଧ୍ୟରେ‌ କୌଣସି ସରକାରୀ ସଂସ୍ଥା ବା ପିଏସ୍‌ୟୁରେ ତିନିଟି ୫୦ ଲକ୍ଷ ଟଙ୍କାର ହୋର୍ଡିଂ ଲଗାଇବା କାମ କରିଥିବ। ଏତଦ ବ୍ୟତୀତ ପ୍ରତିବର୍ଷ ୧କୋଟି ଟଙ୍କା ହିସାବରେ ତିନି ବର୍ଷର ଟର୍ଣ୍ଣଓଭର ରହିଥିବ। ଏହାପରେ ଗତ ୧୩ତାରିଖରେ ପୁନର୍ବାର ତ୍ରୁଟି ସଂଶୋଧନ ବିଜ୍ଞପ୍ତି ପ୍ରକାଶ ପାଇଲା। ଏଥିରେ ୫ବର୍ଷ ମଧ୍ୟରେ‌ କୌଣସି ସରକାରୀ ସଂସ୍ଥା ବା ପିଏସ୍‌ୟୁରେ ତିନିଟି ୫୦ଲକ୍ଷ ଟଙ୍କାର ହୋର୍ଡିଂ ଲଗାଇବା କାମ କରିଥିବା ବଦଳରେ ଗତ ୫ବର୍ଷ ମଧ୍ୟରୁ ତିନି ବର୍ଷରେ ବର୍ଷକୁ ୫୦ଲକ୍ଷ ଟଙ୍କାର ସରକାରୀ ସଂସ୍ଥା ବା ପିଏସ୍‌ୟୁରେ ହୋର୍ଡିଂ ଲଗାଇଥିବା ନିୟମ କରାଗଲା। ତେବେ ପ୍ରଶ୍ନ ଉଠୁଛି ଯେ, ଗତବର୍ଷ ଯେଉଁ ନିୟମ ରଖାଯାଇଥିଲେ ସେଥିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ପରେ ଏବେ କ’ଣ ଆବଶ୍ୟକ ପଡ଼ିଲା ଯେ, ପୁଣି ୧୩ତାରିଖରେ ସଂଶୋଧନ କରାଗଲା ? ଏବେ ଏହି ନିୟମ ପରିବର୍ତ୍ତନ ହେବାକୁ ନେଇ ସନ୍ଦେହ ଘେରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ।

ଏଠାରେ ଆଉ ଏକ ପ୍ରମୁଖ କାରଣ ହେଉଛି ଯେ, ୨୦୨୦ ପର୍ଯ୍ୟନ୍ତ ୫ଲକ୍ଷ ଟଙ୍କାର କାମ କରିଥିବା ଅଭିଜ୍ଞତା ଖୋଜୁଥିବା ବିଭାଗୀୟ ଅଧିକାରୀମାନେ ଚଳିତ ଥର କାହିଁକି ୫୦ଲକ୍ଷ ଟଙ୍କାର ସରକାରୀ ସଂସ୍ଥା/ପିଏସ୍‌ୟୁର ଅଭିଜ୍ଞତା ଖୋଜିଲେ ? ଏହାକୁ ନେଇ ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଭାଗ ଗତବର୍ଷ ପର୍ଯ୍ୟନ୍ତ ୨୦ଲକ୍ଷ ଟଙ୍କାର କାମ ଦେଉଥିବା ଚଳିତ ଥର କାହିଁକି ୫୦ଲକ୍ଷ ଟଙ୍କାର ହୋର୍ଡିଂ ଲଗାଇଥିବା ଅଭିଜ୍ଞତା ମାଗୁଛି ? ଅଭିଯୋଗକାରୀଙ୍କ ସୂଚନା ଅନୁସାରେ , ୨୦୧୮ ମସିହା ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ବର୍ଗଫୁଟ ପିଛା ୫୦ଟଙ୍କାରୁ ଅଧିକ ଟଙ୍କାରେ କାମ ଦେଉଥିବା ବେଳେ ଅଧିକ ‌ସ୍ଥାନୀୟ ଲୋକ ଟେଣ୍ଡରରେ ଭାଗ ନେବାରୁ ୨୦୧୯ରେ ଏହା ବର୍ଗଫୁଟ ପିଛା ୨୦ଟଙ୍କା ଏବଂ ୨୦୨୦ରେ ବର୍ଗଫୁଟ ପିଛା ୧୯ ଟଙ୍କାକୁ ଖସି ଆସିଥିଲା।

ତେବେ ଅଧିକ ମୂଲ୍ୟରେ କାମ ଦେଉଥିବା ଅଧିକାରୀମାନେ ବିଶେଷ ଭାବେ ଉପକୃତ ହେଉ ନଥିବାରୁ ଚଳିତବର୍ଷ ଉଦ୍ଦେଶ୍ୟମୂଳକ ଭାବେ କେବଳ ସରକାରୀ ସଂସ୍ଥା/ପିଏସ୍‌ୟୁରେ ଅଭିଜ୍ଞତା ଥିବା ‌ବ୍ୟକ୍ତି/ସଂସ୍ଥାଙ୍କୁ କାମ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏମିତି କରିବା ଦ୍ବାରା ଯେପରି ରାଜ୍ୟ ବାହାରର କିଛି ନିର୍ଦ୍ଦିଷ୍ଟ ସଂସ୍ଥା ଏଥିରେ ଉପକୃତ ହେବେ ସେନେଇ ବିଭାଗୀୟ ଅଧିକାରୀମାନେ ଏଭଳି ଭାବେ ନିୟମ ବଦଳାଇଛନ୍ତି।

ବାର୍ଷିକ ୫୦ଲକ୍ଷ ଟଙ୍କାର ବେସରକାରୀ ସଂସ୍ଥାର ହୋର୍ଡିଂ ଲଗାଇଥିଲେ କ’ଣ ସରକାରୀ ହୋର୍ଡିଂ ଲଗାଇପାରିବ ନାହିଁ? ସରକାରଙ୍କ ଅପେକ୍ଷା ବେସରକାରୀ ସଂସ୍ଥା ଅଧିକ ପ୍ରଚାର ପ୍ରସାର କରୁଥିବାବେଳେ ବହୁ ସ୍ଥାନୀୟ ଓଡ଼ିଆ ଲୋକ ଏଥିରେ ନି‌େୟାଜିତ ଅଛନ୍ତି। କିନ୍ତୁ ବିଭାଗର କିଛି ନି‌ର୍ଦ୍ଦିଷ୍ଟ ଅଧିକାରୀ ଓଡ଼ିଆ ଉଦ୍ୟୋଗୀମାନଙ୍କୁ ଯେପରି କାମ ନମିଳିବ ସେନେଇ ଟେଣ୍ଡର ଡାକିଛନ୍ତି ବୋଲି ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ ୨୦୧୯ ମସିହା ପୂର୍ବରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବାର୍ଷିକ ପ୍ରାୟ ୨୦କୋଟି ଟଙ୍କାର ହୋର୍ଡିଂ ଲଗାଇବା କାମ ଦିଆଯାଉଥିବା ବେଳେ ନିର୍ବାଚନୀ ବର୍ଷରେ ପ୍ରାୟ ୩୦କୋଟି ଟଙ୍କାର କାମ ଦିଆଯାଇଥିଲା । ତେବେ ଗତବର୍ଷ ଯେହେତୁ କରୋନା କଟକଣା ଯୋଗୁଁ ସବୁ କିଛି ପ୍ରଭାବିତ ହୋଇଥିଲା ତେଣୁ ଏହା ମଧ୍ୟ ପ୍ରଭାବିତ ହୋଇ ଥିଲା। ତେବେ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବା କାରଣରୁ ସରକାରଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରତି ମ୍ୟୁନିସପାଲିଟି/ଜିଲ୍ଲା ମୁଖ୍ୟାଳୟରେ ୨୦ଟି, ବ୍ଲକ ମୁଖ୍ୟାଳୟରେ ୧୫ଟି, ଏନ୍‌ଏସି ମୁଖ୍ୟାଳୟରେ ୧୫ଟି, ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ୫ଟି, ବିଏମ୍‌ସି ଅଞ୍ଚଳରେ ୭୫ଟି, ସମ୍ବଲପୁର, କଟକ, ବ୍ରହ୍ମପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୫୦ଟି ଲେଖାଏଁ ହୋର୍ଡିଂ ଲଗାଇବାକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିଷ୍ପତ୍ତି ନେଇଛି।

Related Posts