ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତ ଗସ୍ତରେ ଆସିବେ ୟୁରୋପୀୟ କମିଶନର ଅଧ୍ୟକ୍ଷା । ଆସନ୍ତା ଏପ୍ରିଲ ୨୪ ଓ ୨୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସଲା ବନ ଡର ଲେନ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି । ସେପଟେ ତାଙ୍କର ଭାରତ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି । ଏହା ସହିତ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବେ।
ଏବର୍ଷ ହେଉଥିବା ରାୟସିନା ଡାୟଲଗ କାର୍ୟ୍ୟକ୍ରମରେ ତାଙ୍କୁ ମୁଖ୍ୟ ଅତିଥିଭାବେ ନିମନ୍ତ୍ରଣ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ସେ ଏପ୍ରିଲ୨୫ ତାରିଖରେ ଏହି କାର୍ୟ୍ୟକ୍ରମର ଉଦ୍ଘାଟନ କରିବେ। ୟୁରୋପୀୟ କମିଶନର ଅଧ୍ୟକ୍ଷା ଭାବେ ତାଙ୍କର ଯାତ୍ରା, ପ୍ରଗତିର ସମୀକ୍ଷା ଓ ୟୁରୋପିୟ ସଂଘ ସହିତ ବହୁମୁଖୀ ସହଭାଗିତାକୁ ଆହୁରି ତୀବ୍ର କରିବା ପାଇଁ ଏହା ଏକ ସୁଯୋଗ ସୃଷ୍ଟି କରିବ । ଭାରତ ଓ ୟୁରୋପୀୟ ସଂଘ କୁଟନୈତିକ ସହଭାଗିତାରେ ଅଂଶଗ୍ରହଣ କରନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।
