ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନ୍ଭି ରମନ୍ନା ପୁଣି ଥରେ ଦେଶର ଆଇନ ବ୍ୟବସ୍ଥା ଓ ବିଳମ୍ବିତ ହେଉଥିବା କାର୍ଯ୍ୟକୁ ନେଇ ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ଦେଶରେ ବ୍ୟାପକ ଭାବେ ତରବରିଆ ଗିରଫଦାରୀ ହେଉଥିବା ଓ ଅଭିଯୁକ୍ତଙ୍କୁ ଜାମିନ ମିଳିବାରେ ବିଳମ୍ବ ଘଟଣା କୁ ନେଇ ଚିନ୍ତା ପ୍ରକାଶ କରିବା ସହ ଏହି ଘଟଣା କୁ ନେଇ ଅସନ୍ତୋଷ ଜାହିର କରିଛନ୍ତି | ଆଜି ଆମ ଅପରାଧିକ ନ୍ୟାୟ ବ୍ୟବସ୍ଥା ହିଁ ଦଣ୍ଡ ପାଲଟି ଯାଇଛି। ଏହାସହ ବିଚାରଧୀନ କଏଦୀଙ୍କୁ ଦୀର୍ଘ ଦିନ ଧରି ଜେଲରେ ରଖିବା ପ୍ରସଙ୍ଗରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଏହା ଅପରାଧିକ ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି ବୋଲି ଶନିବାର ସର୍ବଭାରତୀୟ ଆଇନ୍ ସେନା ପ୍ରାଧିକରଣ ବୈଠକରେ ଯୋଗ ଦେଇ କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି।
ସେ ଜେଲ ଗୁଡ଼ିକୁ “ବ୍ଲାକ ବାକ୍ସ” ଭାବେ ତୁଳନା କରି କହିଛନ୍ତି, ‘ବିଭିନ୍ନ ବର୍ଗର କଏଦୀମାନଙ୍କ ଉପରେ ଜେଲଗୁଡିକର ଭିନ୍ନ ପ୍ରଭାବ ପଡୁଛି, ବିଶେଷକରି ଅସାମାଜିକ ସମ୍ପ୍ରଦାୟର ଲୋକଙ୍କ ଉପରେ ଅଧିକ ପ୍ରଭାବ ପଡୁଛି। ଭେଦଭାବପୂର୍ଣ୍ଣ ଗିରଫଦାରୀ ଠାରୁ ଆରମ୍ଭ କରି ଜାମିନ ପାଇବା ଯାଏଁ ଏବଂ ଦୀର୍ଘ ଦିନ ଧରି ବିଚାରାଧୀନ କଏଦୀଙ୍କୁ ଜେଲରେ ବନ୍ଦୀ ରଖିବା ସମସ୍ୟା ଉପରେ ତତ୍କାଳ ସମାଧାନ ଜରୁରୀ।’
ଦେଶର ରାଜନୈତୀକ ସ୍ଥିତିକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ସିଜେଆଇ। ରାଜନୈତିକ ବିରୋଧ ଶତ୍ରୁତାରେ ପରିବର୍ତ୍ତନ ହେବା ସୁସ୍ଥ ଗଣତନ୍ତ୍ରର ସଂକେତ ନୁହେଁ ବୋଲି ଜଷ୍ଟିସ୍ ରମନ୍ନା କହିଛନ୍ତି। ସରକାର ଓ ବିରୋଧୀଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନ ଓ ଆଦରଭାବ ରହୁଥିଲା। ଏହା ଏବେ କମିବାରେ ଲାଗିଛି | ଯାହା ପରବର୍ତୀ ସମୟରେ ଏକ ବଡ ବିପଦ ଆଣିପାରେ |
