ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଭିନ୍ନ ଜାତୀୟ ଗଣମାଧ୍ୟମରେ ହେଉଥିବା ବିତର୍କକୁ କଙ୍ଗାରୁ କୋର୍ଟ ସହ ତୁଳନା କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା। ଟିଭି ବିତର୍କଗୁଡ଼ିକ କଙ୍ଗାରୁ କୋର୍ଟ ଓ ସୋଶାଲ ମିଡିଆ ଆମ ଦେଶକୁ ବହୁ ପଛକୁ ନେଇ ଯାଉଛି। ମିଡ଼ିଆ ସବୁବେଳେ ପକ୍ଷପାତୀ, ତଥ୍ୟହୀନ ଓ ଉଦ୍ଦେଶ୍ୟ ମୂଳକ ପ୍ରଚାର କରୁଥିବା ଜଷ୍ଟିସ ରମନ୍ନା କହିବା ସହ ଗଣମାଧ୍ୟମ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଧିକାଂଶ ଜାତୀୟ ଗଣମାଧ୍ୟମ ହିନ୍ଦୁ-ମୁସଲିମ ଉପରେ ନିୟମିତ ବିତର୍କ କରିବା ସହ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ମୁଖପାତ୍ର ଭାବେ କାମ କରୁଥିବା ବାରମ୍ବାର ଅଭିଯୋଗ ହୋଇ ଆସିଛି ବୋଲି ଜଷ୍ଟିସ ରମନ୍ନା କହିଛନ୍ତି। ରାଞ୍ଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି, “ସୋଶାଲ ମିଡିଆରେ ବିଚାରପତିମାନଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ ପ୍ରଚାର କରାଯାଉଛି। ବିଚାରପତିମାନେ ତୁରନ୍ତ ଏହା ଉପରେ ପ୍ରତିକ୍ରିୟା ଦେଇ ନ ପାରନ୍ତି। ଦୟାକରି ଏହାକୁ ଦୁର୍ବଳତା କିମ୍ବା ଅସହାୟତା ଭାବେ କେହି ବିଚାରକୁ ନିଅନ୍ତୁ ନାହିଁ।”
ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ଆହୁରି କହିଛନ୍ତି, ମିଡିଆ ପକ୍ଷରୁ ପ୍ରଚାର କରୁଥିବା ପକ୍ଷପାତିତା ଯୋଗୁ ଗଣତନ୍ତ୍ର ଦୁର୍ବଳ ହେଉଛି ଓ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛି। ଏହିକ୍ରମରେ ନ୍ୟାୟ ପ୍ରଦାନ ମଧ୍ୟ ପ୍ରଭାବିତ ହେଉଛି। ଆପଣମାନଙ୍କର ଆଗଚାଲିଆ ନୀତି ଓ ଦାୟିତ୍ୱହୀନତା ବଳରେ ଆପଣମାନେ ଆମର ଗଣତନ୍ତ୍ରକୁ ଦୁଇ ପାଦ ପଛକୁ ନେଇ ଯାଉଛନ୍ତି। ଏବେ ବି ପ୍ରିଣ୍ଟ ମିଡିଆ କିଛି ମାତ୍ରାରେ ଉତ୍ତରଦାୟିତ୍ୱ ପ୍ରଦର୍ଶନ କରୁଛି କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମ କୌଣସି ପ୍ରକାରର ଉତ୍ତରଦାୟିତ୍ୱ ପ୍ରଦର୍ଶନ କରୁନାହିଁ ବୋଲି ସେ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ଗଣମାଧ୍ୟମକୁ ନିଜସ୍ୱ ନିୟମ ପ୍ରଣୟନ କରି ସୀମା ଭିତରେ କାମ କରିବାକୁ ପରାମର୍ଶ ଦେଇଛନ୍ତି। ବୈଦ୍ୟୁତିକ ଗଣମାଧ୍ୟମ ଓ ସୋଶାଲ ମିଡିଆ ଦାୟିତ୍ୱବାନ ହୁଅନ୍ତୁ। ବୈଦ୍ୟୁତିକ ଗଣମାଧ୍ୟମ ପକ୍ଷପାତିତା କରିବା ପରିବର୍ତ୍ତେ ଲୋକଙ୍କୁ ଶକ୍ଷିତ କରିବା ସହ ଦେଶକୁ ସଂଗଠିତ କରିବା ଦିଗରେ କାର୍ଯ୍ୟ କରୁ ବୋଲି ସେ କହିଛନ୍ତି।
