ସିଙ୍ଗାରୀ ଘାଟି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ମୃତକଙ୍କ ପରିବାରକୁ ୨ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: ସିଙ୍ଗାରିଘାଟି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ସହାୟତା | ମାନ୍ୟବର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି | ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଏକ ପତ୍ର ମାଧ୍ୟମରେ ଘୋଷଣା କରାଯାଇଛି ।

କଳାହାଣ୍ଡି ଜିଲ୍ଲା କଲମପୁର -ଥୁଆମୂଳ ରାମପୁର ବ୍ଲକକୁ ସଂଯୋଗ କହୁଥିବା ସିଙ୍ଗାରିଘାଟିରେ ଗତ ମଙ୍ଗଳବାର ପିଡିଏସ ଚାଉଳ ଧରି ଫେରୁଥିବା ବେଳେ, ପିକଅପ ଭ୍ୟାନ୍‌ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାର ଅନୁଧ୍ୟାନ କରି ସବିଶେଷ ତଥ୍ୟ ଦେବା ପାଇଁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଥୁଆମୂଳ ରାମପୁର ବିଡ଼ିଓ ଶୁଭକାନ୍ତ ନାଏକ, ତହସିଲଦାର ଇଶ୍ବର ଚନ୍ଦ୍ର ଦାସ ଓ କଲମପୁର ତହସିଲଦାର କରିସ୍ମା ବେଶ୍ରା, ବିଡ଼ିଓ ପ୍ରଶ୍ନ ପଟେଲ ପ୍ରମୁଖ ବାର୍ଷିକଣା ଗାଁକୁ ଗସ୍ତକରି ମୃତକଙ୍କ ପରିବାର ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଏହାପରେ ସେହି ରିପୋର୍ଟ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବାର୍ଷିକୋଣା ଗାଁର ଲାଲୁ ମାଝି, ସାନୁ ମାଝି, ଶୋଭାଦେଇ ମାଝି ଓ ଡ଼ଙ୍ଗର ମାଝିଙ୍କ ମୃତ୍ୟୁ ହୋଇଥିଲା।

ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି।

Related Posts