30 ଟି ଜିଲ୍ଲା ପାଇଁ ଦଳୀୟ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ଦଳୀୟ ସାଂଗଠନକୁ ଆହୁରି ସଶକ୍ତ ତଥା ସୁଦୃଢ କରିବା ପାଇଁ ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା 30 ଟି ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି ।

ଓଡିଶାର 4 ଟି ଜିଲ୍ଲା ନୂଆପଡା, ବଲାଙ୍ଗୀର, କଳାହାଣ୍ଡି ଓ ବରଗଡ ଜିଲ୍ଲା ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦଳୀୟ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦେଇଛନ୍ତି ନବୀନ । ସେହିପରି ଦଳର ବରିଷ୍ଠ ନେତା ତଥା ପଶ୍ଚିମ ଓଡିଶାର ଟାଣୁଆ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଉପକୂଳ ଓଡିଶାର ଦାୟିତ୍ବ ଦିଆଯାଇଛି । ପ୍ରସନ୍ନଙ୍କୁ କଟକ, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।ଦଳର ଉପ-ସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ମିଳିଛି ।

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କୁ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଏହାସହ ମହେଶ୍ବରଙ୍କୁ ଦୀର୍ଘଦିନ ପରେ ପୁଣି ଥରେ ସଂଗଠନ ଦାୟିତ୍ବ ମିଳିଛି ।ଏହାସହ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେଓଗଡ଼ ଓ ଢେଙ୍କାନାଳର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । ଏନେଇ ଦଳୀୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ହସ୍ତାକ୍ଷରରେ ବିଜେଡି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି ।

ଏହି ପର୍ଯ୍ୟବେକ୍ଷକ ମାନେ ଦଳର ସଂଗଠନକୁ ସୁଦୃଢ଼ କରିବା ସହିତ ଜିଲ୍ଲା ସ୍ତରରେ ସଂଗଠନ କଥା ବୁଝିବେ ।

Related Posts