କୋଭିଡ ସମୟରେ ଡୋଲ-650 ର ମାତ୍ରାଧିକ ବ୍ୟବହାର ଓ ବିକ୍ରି ପ୍ରସଙ୍ଗ: ପ୍ରେସକ୍ରାଇବ କରିବା ପାଇଁ ଡାକ୍ତର ପ୍ରସ୍ତୁତକାରୀ ସଂସ୍ଥା ଠାରୁ ନେଇଛନ୍ତି ହଜାର କୋଟିର ଲାଞ୍ଚ

ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ ପାରାସିଟାମଲ (Dolo-650 mg) ଟାବେଲେଟର ବିକ୍ରି ହାର ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି । ତେବେ ଏହାର ମାତ୍ରାଧିକ ବ୍ୟବହାର ଓ ବିକ୍ରି ସମସ୍ତଙ୍କୁ ଚକିତ କରିଥିବା ବେଳେ, ଏବେ ଏକ ଭୟଂକର ଖବର ସାମ୍ନାକୁ ଆସିଛି । ଏହାକୁ ରୋଗୀଙ୍କୁ ପ୍ରେସକ୍ରାଇବ କରିବା ପାଇଁ ଡାକ୍ତରଙ୍କୁ ପ୍ରାୟ 1 ହଜାର କୋଟିର ମାଗଣା ଉପହାର ପ୍ରଦାନ କରିଛି ଏହି ଟାବଲେଟର ପ୍ରସ୍ତୁତକାରୀ କମ୍ପାନୀ । ଏପରି ଏକ ଆଶ୍ଚର୍ଯ୍ୟଚକିତ କରିବା ପରି ତଥ୍ୟ ଏବେ ସର୍ବୋଚ୍ଚ କୋର୍ଟଙ୍କୁ ଅବଗତ କରାଯାଇଛି । ଏହି ଔଷଧର ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ଫେଡେରେସନ ଅଫ ମେଡିକାଲ ଓ ସେଲ ରିପ୍ରେଜେଣ୍ଟଟିଭ ଆସୋସିଏନ (FMRAI) ଏକ ମାମଲା କରିଥିଲା ।

ଆଜି ଉକ୍ତ ମାମଲାର ଶୁଣାଣିବେଳେ ସର୍ବୋଚ୍ଚ କୋର୍ଟଙ୍କୁ ଏପରି ତଥ୍ୟ ସମ୍ବଳିତ ସୂଚନା ଅବଗତ କରାଇଛି ଆବେଦନକାରୀ ପକ୍ଷ FMRAI ।

ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଏ.ଏସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି (ଗୁରୁବାର) ଏହି ମାମଲାର ଶୁଣାଣି କରିଥିଲେ । FMRAIର ଏପରି ତଥ୍ୟରେ ଖଣ୍ଡପୀଠର ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଶୁଣାଣିବେଳେ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, “ସେ ନିଜେ କୋଭିଡରେ ଆକ୍ରାନ୍ତ ଥିବାବେଳେ ମଧ୍ୟ ତାଙ୍କୁ ଏହି ଟାବଲେଟ ଖାଇବା ପାଇଁ ଡାକ୍ତରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହା ଏକ ଗମ୍ଭୀର ପ୍ରସଙ୍ଗ ।” ଏହି ମାମଲାରେ 10 ଦିନ ମଧ୍ୟରେ ବିସ୍ତୃତ ଉତ୍ତର ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ ।ଏହାପୂର୍ବରୁ, ନ୍ୟାସନାଲ ମେଡିକାଲ କମିଶନ (MMC) ଆୟକର ବିଭାଗକୁ ଯେଉଁ ଡାକ୍ତରଙ୍କ ବାସଭବନରେ ଲାଞ୍ଚ କିମ୍ବା ମାଗଣା ଉପହାର ଗ୍ରହଣ କରିବା ଅଭିଯୋଗରେ ଚଢାଉ ହୋଇଥିଲା ସେମାନଙ୍କ ତଥ୍ୟ ମାଗିଥିଲେ । ଆୟକର ବିଭାଗର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (CBDT) ଚଢାଉରେ ସାମ୍ନାକୁ ଆସିଥିବା ତଥ୍ୟ ଆୟୋଗ ନିକଟରେ ଦାଖଲ କରିଥିଲେ । ଜୁଲାଇ 6 ତାରିଖରେ, ଆୟକର ବିଭାଗ ବେଙ୍ଗାଲୁରୁର ଡୋଲ-650ର ପ୍ରସ୍ତୁତକାରୀ କମ୍ପାନୀ ମାଇକ୍ରୋ ଲ୍ୟାବ ଲିମିଟେଡ ଫାର୍ମା କମ୍ପନୀର 36ଟି ସ୍ଥାନରେ ଚଢାଉ କରିଥିଲା । ଏହି ତଦନ୍ତରେ ଡୋଲର ପ୍ରସ୍ତୁତକାରୀ କମ୍ପାନୀ ଡାକ୍ତରଙ୍କୁ ପ୍ରାୟ ଏକ ହଜାର କୋଟି ଟଙ୍କା ମୂଲ୍ୟର ମାଗଣା ଉପହାର ପ୍ରଦାନ କରି ନିଜ ଉତ୍ପାଦକୁ (ଡୋଲୋ-650) ପ୍ରତ୍ସାହିତ କରିବା ପାଇଁ ପ୍ରୟାସ କରିଥିବା ଦର୍ଶାଯାଇଥିଲା ।

Related Posts