ଝିଅ ମାନେ ନିଜ ବୟଫ୍ରେଣ୍ଡ୍ ବଦଳାଇବା ପରି ନୀତିଶ କୁମାର ନିଜ ସହଯୋଗୀ ବଦଳାନ୍ତି: କୈଳାଶ ବିଜୟବର୍ଗୀୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ବିଜେପି ସହ ଗଠବନ୍ଧନ ଭାଙ୍ଗି ନୀତିଶ କୁମାର ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଛନ୍ତି। ତେବେ ନୀତିଶ ବାରମ୍ବାର ନିଜର ମେଣ୍ଟ ସହଯୋଗୀ ବଦଳାଇବାକୁ ନେଇ ବିଜେପି ନେତା ମାନେ ତାଙ୍କୁ ବହୁ ସମାଲୋଚନା କରୁଛନ୍ତି। କେହି କେହି ତାଙ୍କୁ ସୁବିଧା ବାଦି ରାଜନେତା କହୁଥିବା ବେଳେ କେହି କେହି ତାଙ୍କୁ ପଲଟୁ ରାମ ବୋଲି ମଧ୍ୟ କହିଛନ୍ତି। ତେବେ ନୀତିଶଙ୍କୁ ସମାଲୋଚନା କରିବାକୁ ଯାଇ ଆଉ ଗୋଟିଏ ପାଦ ଆଗକୁ ଯାଇଛନ୍ତି ବରିଷ୍ଠ ବିଜେପି ନେତା କୈଳାଶ ବିଜୟବର୍ଗୀୟ। କୈଳାଶ ନୀତିଶଙ୍କୁ ନେଇ କହିଛନ୍ତି ଯେ, ଝିଅ ମାନେ ନିଜ ବୟଫ୍ରେଣ୍ଡ୍ ବଦଳାଇବା ପରି ନୀତିଶ କୁମାର ନିଜ ସହଯୋଗୀ ବଦଳାନ୍ତି।

ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ଥିବା କୈଳାଶ ଗୁରୁବାର ଇନ୍ଦୋରରେ ସାମ୍ବାଦିକ ମାନଙ୍କୁ ଉଦ୍ଦବୋଧନ ଦେବା ବେଳେ ବିହାର ସରକାର ପରିବର୍ତ୍ତନ ନେଇ ପ୍ରତିକ୍ରିୟା ରଖିଥିଲେ। କୈଳାଶ କହିଥିଲେ, “ବିହାରରେ ସରକାର ପରିବର୍ତ୍ତନ ହେବା ବେଳେ ମୁଁ ବିଦେଶରେ ଥିଲି। ବିହାରରେ ନୀତିଶ ବିଜେପି ହାତ ଛାଡ଼ିବା ନେଇ ସେତେବେଳେ ସେଠାରେ କେହି ଜଣେ ମତେ କହିଥିଲେ ଯେ, ବିଦେଶରେ ଥିବା ମହିଳାମାନେ ଯେକୌଣସି ସମୟରେ ନିଜ ବୟଫ୍ରେଣ୍ଡ୍ ପରିବର୍ତ୍ତନ କରନ୍ତି। ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ସମାନ, କେହି ଜାଣି ନାହାଁନ୍ତି ସେ କେତେବେଳେ କାହା ହାତ ଧରିବେ କିମ୍ବା ଛାଡିବେ।” ତେବେ କୈଳାଶଙ୍କ ଏହି ମନ୍ତବ୍ୟ ପରେ ସେଠାରେ ଥିବା ବିଜେପି କର୍ମୀ ଓ ସାମ୍ବାଦିକ ମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ ଯେ, ବିହାରରେ ବିଜେପି ନୀତିଶଙ୍କ ଦଳ ଜେଡିୟୁକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ନୀତିଶ କୁମାର ଅଭିଯୋଗ ଆଣିଥିଲେ। ଏହାପରେ ସେ ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଛନ୍ତି। ଇତି ମଧ୍ୟରେ ବିହାରରେ ନୂଆ ମନ୍ତ୍ରୀମଣ୍ଡଳ ମଧ୍ୟ ଗଠନ ହୋଇଛି। ତେବେ ବାରମ୍ବାର ନିଜର ରାଜନୈତିକ ସହଯୋଗୀ ବଦଳାଇବା ନେଇ ବିଜେପି ପକ୍ଷରୁ ବାରମ୍ବାର ନୀତିଶଙ୍କୁ କଡା ସମାଲୋଚନା ସହ ଟାର୍ଗେଟ କରାଯାଉଛି।

Related Posts