ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବାବେଳେ ଆସନ୍ତା ୨-୩ ଦିନ ମଧ୍ୟରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ ବୋଲି ଜଣାପଡ଼ିଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନରେଡ୍ଡୀ ଗତ ଏପ୍ରିଲ ମାସରେ ନିଜର ସମସ୍ତ ମନ୍ତ୍ରୀଙ୍କୁ ସମୂହ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇ ପରେ ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଥିଲେ । ଏବେ ନବୀନ ସମାନ ଢଙ୍ଗରେ ନିଜର ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଯାଉଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସମସ୍ତ ମନ୍ତ୍ରୀଙ୍କୁ ତୁରନ୍ତ ନିଜର ଇସ୍ତଫା ପତ୍ର ପଠାଇବାକୁ ଆଜି ସକାଳେ ନିର୍ଦ୍ଦେଶ ଦିଆଯାଇଥିଲା । ମନ୍ତ୍ରୀମାନେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ପଠାଇ ସାରିଥିବାବେଳେ ଆସନ୍ତା ୨-୩ ଦିନ ମଧ୍ୟରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ ବୋଲି ଜଣାପଡ଼ିଛି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ତାରିଖରୁ ବିଦେଶ ଗସ୍ତରେ ଯାଉଥିବାରୁ ତା’ର ଯଥେଷ୍ଟ ପୂର୍ବରୁ ଏହି ମନ୍ତ୍ରିମଣ୍ଡଳ ଗଠନ ହେବାର ସମ୍ଭାବନା ରହିଛି।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମ୍ ଓ ପରେ ଦୁବାଇ ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି ।
ଦୁବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ’ କାର୍ୟ୍ୟକ୍ରମରେ ନବୀନଙ୍କ ସହ ରାଜ୍ୟର କିଛି ମନ୍ତ୍ରୀ ଓ ଆଇଏଏସ୍ ଅଫିସର ମଧ୍ୟ ଯିବେ ବୋଲି ଜଣାପଡ଼ିଛି । ତା’ଛଡ଼ା ଆସନ୍ତା ଜୁନ ୨୨ତାରିଖରୁ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାରୁ ନୂଆ ମନ୍ତ୍ରିମଣ୍ଡଳ ଗଠନ ୨-୩ଦିନ ମଧ୍ୟରେ ହେବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ୨୦୧୯ ମେ’ ୨୯ତାରିଖରେ ନବୀନ ପଟ୍ଟନାୟକ ନିଜର ପଂଚମ ପାଳି ସରକାରର ଶପଥ ନେଇଥିଲେ । ଗତ ଏକ ବର୍ଷରୁ ଅଧିକ ସମୟ ଧରି ମନ୍ତ୍ରିମଣ୍ଡଳର ଅଦଳବଦଳକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ନବୀନ ନିଜର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିନଥିଲେ । ବିଶେଷକରି ପଂଚାୟତ ଓ ପୌର ନିର୍ବାଚନ ସହ ବ୍ରଜରାଜନଗର ଉପନିର୍ବାଚନ ଯୋଗୁ ଏହି ମନ୍ତ୍ରିମଣ୍ଡଳର ଅଦଳବଦଳ ପ୍ରକ୍ରିୟା ଅଟକି ରହିଥିଲା । ଆଜି ସବୁ ମନ୍ତ୍ରୀମାନଙ୍କଠୁ ଇସ୍ତଫା ନେଇଥିବାରୁ ନୂଆ ମନ୍ତ୍ରିମଣ୍ଡଳ ଗଠନ ସମ୍ଭାବନା ଅଧିକ ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





