
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟର ମୋରବିରେ ଝୁଲାପୋଲ ଦୁର୍ଘଟଣା ପରେ ଏହି ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପର ରାଜନୀତି ତୀବ୍ର ହେବାରେ ଲାଗିଛି। ବିରୋଧୀ ମାନେ ଏହି ଘଟଣାକୁ ନେଇ ବିଜେପି ସରକାରକୁ ସମାଲୋଚନା କରୁଛନ୍ତି। ଏହି କ୍ରମରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ବିଜେପିକୁ ଏହି ଘଟଣାରେ ୫ ଟି ପ୍ରଶ୍ନ ପଚାରିଛନ୍ତି।
ଗଣମାଧ୍ୟମକୁ ସିସୋଡିଆ କହିଛନ୍ତି ଯେ, ମୋରବିରେ ଘଟିଥିବା ଏହି ଦୁର୍ଘଟଣାରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। ଦୁର୍ଘଟଣା ପରେ ଗତ ଦୁଇ ଦିନର ଅନୁସନ୍ଧାନରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ପ୍ରମାଣ କରୁଛି ଯେ ଏହା ଏକ ଦୁର୍ଘଟଣା ନୁହେଁ ବରଂ ହତ୍ୟା। ଏହି ହତ୍ୟା ପଛରେ ବିଜେପିର ଦୁର୍ନୀତି ରହିଛି।
ସେ ଆହୁରି କହିଛନ୍ତି ଯେ, ମୁଁ ସେହି ନେତାମାନଙ୍କୁ ୫ଟି ପ୍ରଶ୍ନ ପଚାରିବାକୁ ଚାହୁଁଛି ଯେଉଁମାନେ ୧୫୦ଜଣଙ୍କୁ ହତ୍ୟା କରିଛନ୍ତି ଏବଂ ସେମାନଙ୍କ ସରକାର ଏବେ କେନ୍ଦ୍ର ତଥା ରାଜ୍ୟରେ ଅଛନ୍ତି। ଭାଜପାକୁ ମୋର ପ୍ରଥମ ପ୍ରଶ୍ନ ହେଉଛି ଭଙ୍ଗା ପୋଲ ମରାମତି ପାଇଁ ଏକ ଘଣ୍ଟା ତିଆରି କମ୍ପାନୀକୁ କାହିଁକି ଠିକା ଦିଆଗଲା? ଯେଉଁ କମ୍ପାନୀ କେବେ ପୂର୍ବରୁ ବ୍ରିଜ ନିର୍ମାଣ କରି ନ ଥିଲା । ମୋର ଦ୍ୱିତୀୟ ପ୍ରଶ୍ନ ହେଉଛି ବିନା ଟେଣ୍ଡର ରେ ଚୁକ୍ତିନାମା ଆଧାରରେ କାହିଁକି କାମ ଦିଆଗଲା? ବ୍ରିଜ ପାଇଁ ଚୁକ୍ତି କାହିଁକି ଏକ ଅଭିଜ୍ଞ କମ୍ପାନୀକୁ ଦିଆ ଯାଇ ନଥିଲା? ଗୁଜରାଟର ଭାଜପା ସରକାର ଏହାର ଉତ୍ତର ଦିଅନ୍ତୁ। ମିଳିଥିବା କାଗଜପତ୍ରରେ ଦର୍ଶାଯାଇଛି ଯେ ପୋଲ ମରାମତି କାର୍ଯ୍ୟ ୮ମାସ ମଧ୍ୟରେ ଶେଷ ହେବାର ଥିଲା। କିନ୍ତୁ କେଉଁ କାରଣରୁ ତତ୍ପରତାର ସହିତ ଏତେ ଶୀଘ୍ର ପୋଲ ମରାମତି କରାଯାଇ ଗମନାଗମନ ପାଇଁ ଖୋଲି ଦିଆଗଲା।
ଏହା ମୋର ତୃତୀୟ ପ୍ରଶ୍ନ ଯେ, ୫ ମାସରେ ୮ ମାସର କାମ ଶେଷ କରି ପୋଲକୁ କାହିଁକି ଖୋଲା ଗଲା? ମୋର ଚତୁର୍ଥ ପ୍ରଶ୍ନ ହେଉଛି ସରକାର ଜବାବ ଦେବା ଜରୁରୀ ଯେ ଟେଣ୍ଡର ବିନା ଚୁକ୍ତିନାମା ଦିଆଯାଇଥିବା ଏହି ଘଣ୍ଟା କମ୍ପାନୀଠାରୁ ଭାଜପା କେତେ ଚାନ୍ଦା ନେଇଛି। କେଉଁ କେଉଁ ମନ୍ତ୍ରୀ କମ୍ପାନୀର ମାଲିକଙ୍କର ନିକଟତର ତାହାର ଉତ୍ତର ସରକାର ଦିଅନ୍ତୁ। ମୋର ପଞ୍ଚମ ପ୍ରଶ୍ନ ହେଉଛି ଏତେ ବଡ ଦୁର୍ଘଟଣା ପରେ କାହିଁକି ଦାଏର ହୋଇଥିବା ଏଫଆଇଆରରେ କମ୍ପାନୀର ନାମ ଉଲ୍ଲେଖ କରାଯାଇ ନାହିଁ? ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହିତ ଯଦି ବିଜେପି ସରକାର କୌଣସି ଲାଞ୍ଚ କାରବାର କରି ନାହିଁ, ଯଦି ସେମାନେ ଦୁର୍ନୀତିଗ୍ରସ୍ତ ନୁହନ୍ତି, ଯଦି ତାଙ୍କର ସତସାହସ ଅଛି ତାହେଲେ ସେମାନେ ଏହି ୫ଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ମନୀଷ ସିସୋଡିଆ କହିଛନ୍ତି।