
ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ି ସାରିଲାଣି କଂଗ୍ରେସ । ଆଜିଠୁ ପୌର ନିର୍ବାଚନ ପାଇଁ ନାମାଙ୍କନ ପକ୍ରୀୟା ଆରଂଭ ହୋଇଥିବା ବେଳେ, କଂଗ୍ରେସ୍ କାହାକୁ ପ୍ରାର୍ଥୀ କରିବ ସେନେଇ ମାନସ ମନ୍ଥନ କରିଛି । କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ ।
ଖବର ଅନୁଯାୟୀ, କଟକ କଂଗ୍ରେସ ମେୟର ପ୍ରାର୍ଥୀ ହେବେ ଗିରିବାଳା ବେହେରା । ପୌର ନିର୍ବାଚନ ନେଇ କଂଗ୍ରେସ ଭବନରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହ କଟକ ମହାନଗର ସମସ୍ତ କର୍ପୋରେଟର ପ୍ରାର୍ଥୀ ମଧ୍ୟ ଚୁଡାନ୍ତ ହୋଇଛନ୍ତି । ସେହିପରି ୨ ଦିନ ମଧ୍ୟରେ ଭୁବନେଶ୍ବର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ସୂଚନା ମିଳିଛି । ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ।
ବୈଠକରେ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ବିଧାୟକ ସନ୍ତୋଷ ସିଂ ସାଳୁଜା ଓ ରମେଶ ଜେନା ଯୋଗ ଦେଇଥିଲେ ।
ତେବେ ପଞ୍ଚାୟତ ଫଳାଫଳର କୌଣସି ପ୍ରଭାବ ପୌର ଉପରେ ପଡିବନି। ନୂଆ ରଣନୀତି ପ୍ରସ୍ତୁତ କରିଛି ଦଳ। କଟକରେ ଗୋଟିଏ ନିର୍ବଚନ ମଣ୍ଡଳୀ କଂଗ୍ରେସ ହାତରେ ଥିବାରୁ କଟକକୁ ଦଖଲକୁ ନେବାକୁ ଆଶାବାଦୀ ଅଛି କଂଗ୍ରେସ। ସହରରେ ଅନେକ ପ୍ରସଙ୍ଗ ରହିଛି ତାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ଗିରିବାଳା।