ଋଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ ଜାରି ରଖିଥିବା ବେଳେ, ସେପଟେ ୟୁକ୍ରେନ ସଙ୍କଟକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସମ୍ବୋଧନ କରିଛନ୍ତି । ଏଥିସହ ୟୁକ୍ରେନ କୁ ସମର୍ଥନ କରିବା ସହ ଋଷ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଆମେରିକା ୟୁକ୍ରେନ୍ ସହିତ ରହିଛି । ପୁଟିନ୍ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଭୁଲ, ତା ଠାରୁ ଆଉ ଏକ ବଡ଼ ଭୁଲ ହେଲା ୟୁକ୍ରେନକୁ ଦୁର୍ବଳ ଭାବୁଛନ୍ତି ଭ୍ଲାଦିମିର ପୁଟିନ୍ । ଋଷର ଏଭଳି ମନଇଚ୍ଛା କାମକୁ ଆଉ ବରଦାସ୍ତ କରାଯିବନି । ଆକ୍ରମଣ ପାଇଁ ପୁଟିନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ ।
ଏଥିସହ ଆମେରିକା ୟୁକ୍ରେନରେ ରୁଷିଆ ସହ ଯୁଦ୍ଧ ଲଢିବ ନାହିଁ କିନ୍ତୁ ଋଷ କୁ ଦୁର୍ବଳ କରିବା ପାଇଁ ସମସ୍ତ ପ୍ରୟାସ କରିବ ବୋଲି କହିଛନ୍ତି ବାଇଡେନ୍ । ଋଷ ବିରୋଧରେ ଆମେରିକା କକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଥିବା ବେଳେ ଏବେ ଆମେରିକାରୁ ଋଷର ବିମାନ ଉପରେ କଟକଣା ଲାଗିଛି । ଋଷ ଏୟାରଲାଇନ ପାଇଁ ଆମେରିକାର ଆକାଶ ପଥ ବନ୍ଦ ହେବ । ଆମେରିକୀୟ ଏୟାରସ୍ପେଶରୁ ଋଷୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କଲେ ବାଇଡେନ । ଆଜି ‘ଷ୍ଟେଟ୍ ଅଫ୍ ୟୁନିଅନ’କୁ ସମ୍ବୋଧିତ କରି ରାଷ୍ଟ୍ରପତି ବାଇଡେନ ଏହି ଘୋଷଣା କରିଛନ୍ତି । ପୂର୍ବରୁ ୟୁରୋପୀୟ ସଂଘ ଓ କାନାଡା ଋଷୀୟ ଏୟାରଲାଇନ ପାଇଁ ନିଜ ନିଜ ଆକାଶ ପଥ ବନ୍ଦ କରିଥିଲେ । ଏବେ ଆମେରିକା ମଧ୍ୟ ସେମାନଙ୍କୁ ଅନୁସରଣ କରିଛି ।
ୟୁକ୍ରେନ ଉପରେ ଆକ୍ରମଣକୁ ନିନ୍ଦା କରି ଋଷ ଉପରେ ଆର୍ଥିକ ଚାପ ଲଦି ଚାଲିଛି ଆମେରିକା । ଋଷୀୟ ବ୍ୟାଙ୍କଗୁଡିକୁ ସ୍ବିଫ୍ଟରୁ ବାଦ୍ ଦିଆଯିବା ସହ ଆମେରିକା ଓ ୟୁରୋପୀୟ ଦେଶରେ ଋଷର ଥିବା ସମ୍ପତ୍ତିକୁ ଚିହ୍ନଟ କରି ଜବତ କରିବାକୁ ଘୋଷଣା କରିଛନ୍ତି ୟୁରୋପୀୟ ରାଷ୍ଟ୍ର । ଏପରିକି କେନ୍ଦ୍ରୀୟ ବ୍ୟାଙ୍କ ଉପରେ କଟକଣା ମଧ୍ୟ ଲାଗୁ ହୋଇଛି । ଋଷର ଅର୍ଥନୀତି ଦିନକୁ ଦିନ ଗୁରୁତର ସଙ୍କଟ ମଧ୍ୟକୁ ଠେଲି ହେଉଥିବାବେଳେ ଆଜି ବାଇଡେନ ଆଉ ଏକ ଶକ୍ତ ଧକ୍କା ଦେଇଛନ୍ତି । ବାଇଡେନ କହିଛନ୍ତି, ଆମେରିକା ଏୟାରସ୍ପେଶରୁ ଋଷର ସମସ୍ତ ବିମାନ ଉଡାଣ ବନ୍ଦ କରାଯିବ । ଋଷକୁ ଏକଘରକିଆ କରିବାକୁ ଏବଂ ତାର ଅର୍ଥନୀତି ଉପରେ ଅତିରିକ୍ତ ଚାପ ପକାଇବାକୁ ଆମେ ଆମ ସହଯୋଗୀଙ୍କ ସହ କାର୍ଯ୍ୟ କରିବୁ ।





