କଂଗ୍ରେସ କିପରି ବିରୋଧୀ ଦଳ ଭାବେ ରହାଯାଏ ତାହା ଶିଖି ନାହିଁ: ପ୍ରଶାନ୍ତ କିଶୋର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସରେ ମିଶିବାକୁ ମନା କରିଦେବା ପରେ ପୁଣିଥରେ କଂଗ୍ରେସକୁ ନେଇ ବଡ଼ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ତେବେ ଏହି ପାର୍ଟିର ନେତା ଭାବନ୍ତି ଜନତା ହିଁ ସରକାରଙ୍କୁ ଉଖାଡି ଫିଙ୍ଗିବେ ଏବଂ ସେମାନଙ୍କୁ କ୍ଷମତା ମିଳିଯିବ। କଂଗ୍ରେସ ଦୀର୍ଘ ଦଶନ୍ଧି ଧରି କ୍ଷମତାରେ ରହି ଆସିଛି ଏବଂ ଦଳ କେମିତି ବିରୋଧୀ ଦଳ ଭାବେ ରହାଯାଏ ଜଣା ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। କଂଗ୍ରେସ ବର୍ତ୍ତମାନ ଲୋକଙ୍କ ପାଇଁ ଏକ ସମସ୍ୟା। ସେମାନେ ଭାବନ୍ତି ଆମେ ଦୀର୍ଘ ସମୟ ଧରି ଦେଶରେ ଶାସନ କରିଛୁ ଏବଂ ଜନତା ଯେବେ କ୍ଷୁବ୍ଧ ହେବେ ସରକାରଙ୍କୁ ବିତାଡିତ କରିବେ ଏବଂ ଆମେ କ୍ଷମତାକୁ ଚାଲି ଆସିବୁ। ସେମାନେ କୁହନ୍ତି ଆପଣ ମାନେ କଣ ଜାଣନ୍ତି, ଆମେ ସବୁ କିଛି ଜାଣିଛୁ।

କାରଣ ଆମେ ଦୀର୍ଘ ସମୟ ଶାସନ କରିଛୁ ବୋଲି ପ୍ରଶାନ୍ତ କିଶୋର ଶାଣିତ ସ୍ଵରରେ କହିଛନ୍ତି। ପ୍ରଶାନ୍ତ କିଶୋର ଇଣ୍ଡିଆନ୍ସ ଏକ୍ସପ୍ରେସର କାର୍ୟ୍ୟକ୍ରମ ଇ-ଆଡ୍ଡା ସହ ଆଲୋଚନା ବେଳେ କହିଛନ୍ତି, କଂଗ୍ରେସ ଦେଶର ମୁଖ୍ୟ ବିରୋଧୀ ଦଳ, ଯିଏ ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ରହି ଆସିଛି। ମାତ୍ର ଏହି ଦଳକୁ ଶିଖିବା ଉଚିତ୍ ଯେ, ବିପକ୍ଷରେ କେମିତି ରହାଯାଏ। ଆପଣ କେବଳ ଏହା କହି ଏଡାଇ ଦେଇ ପାରିବେ ନାହିଁ ଯେ, ମିଡିଆ ଆମ ଖବରକୁ ଗୁରୁତ୍ଵ ଦେଉ ନାହିଁ। ପ୍ରଶାନ୍ତ କହିଛନ୍ତି, ବିଜେପି ସହ ସଂପ୍ରତି କୌଣସି ଗୋଟିଏ ଦଳ ମୁକାବିଲା କରି ପାରିବ ନାହିଁ। କଂଗ୍ରେସର ଉଦାହରଣ ଦେଇ ନିର୍ବାଚନୀ ରଣନୀତିକାର କହିଛନ୍ତି, ୧୯୫୦ ରୁ ୧୯୯୦ ଯାଏଁ ଦେଶରେ କୌଣସି ଗୋଟିଏ ଦଳ କଂଗ୍ରେସର ମୁକାବିଲା କରି ପାରୁନଥିଲେ। ଏହି ଧାରା ଦୀର୍ଘ ସମୟ ଧରି ଜାରି ରହିଥିଲା। ଏହିପରି ବିଜେପି ମଧ୍ୟ ଦେଶରେ ଦୀର୍ଘ ଦିନ କ୍ଷମତାରେ ରହିପାରେ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

Related Posts