କଂଗ୍ରେସ ବର୍ତ୍ତମାନ ଭାଇ-ଭଉଣୀଙ୍କ ଦଳରେ ପରିଣତ ହୋଇଛି: ଜେପି ନଡ୍ଡା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସେପଟେ ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସୁନୀଲ ଜାଖର କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ମିଶିଛନ୍ତି । ଏହା ମଧ୍ୟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବୟାନ ସାମ୍ନାକୁ ଆସିଛି । ତେବେ କଂଗ୍ରେସ ବର୍ତ୍ତମାନ ଜାତୀୟ କିମ୍ବା ଗଣତାନ୍ତ୍ରିକ ଦଳ ନୁହେଁ, ଏହା ଏବେ ଭାଇ-ଭଉଣୀଙ୍କ ଦଳରେ ପରିଣତ ହୋଇଛି। ଗୁରୁବାର ଭାରତୀୟ ଜନତା ପାର୍ଟି (ବିଜେପି)ର ସଭାପତି ଜେ.ପି ନଡ୍ଡା ଏଭଳି ମନ୍ତବ୍ୟ ଦେଇଛନ୍ତି। ‘ଥ୍ରେଟ ଅଫ୍ ଡାଇନାଷ୍ଟିକ୍ ପାର୍ଟିଜ୍ ଟୁ ଡେମୋକ୍ରାଟିକ୍ ଗର୍ଭନେନ୍ସ’ର ସେମିନାରରେ ସେ କହିଛନ୍ତି ଯେ, କଂଗ୍ରେସ ଏ‌ବେ ଭାଇ-ଭଉଣୀ ଦଳରେ ପରିଣତ ହୋଇଛି। ବଂଶବାଦୀ ଦଳ, ଯେଉଁଠାରେ ଜଣେ ବ୍ୟକ୍ତିର ଆଗ୍ରହ ସର୍ବୋଚ୍ଚ ହୋଇଥାଏ, ସେହି ଦଳରେ ଆଦର୍ଶର ଅଭାବ ଥାଏ ଏବଂ ଦଳଟି ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଥାଏ।

ସେ ଆହୁରି କହିଛନ୍ତି ଯେ, ଜନ୍ମ ଆଧାରରେ କୌଣସି ଭେଦଭାବକୁ ସମ୍ବିଧାନରେ ବାରଣ କରାଯାଇଥିବାବେଳେ ଜନ୍ମ ଆଧାରରେ ବଂଶବାଦୀ ଦଳଗୁଡିକର ନେତୃତ୍ୱ ବଛାଯାଏ ଏବଂ ଅନ୍ୟମାନଙ୍କୁ ଅଣଦେଖା କରାଯାଏ। ଏଭଳି କହି ସେ ପ୍ରାୟ ପ୍ରତ୍ୟେକ ରାଜ୍ୟରେ ଥିବ‌ା ବଂଶବାଦୀ ଦଳ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଜାତୀୟ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରୁଥିବାବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଆଞ୍ଚଳିକ ସ୍ତରରେ ଯୁବ ନେତାଙ୍କୁ ବା ନୂଆ ଆଶାୟୀଙ୍କୁ ସ୍ଥାନ ନ ଦେଇଥିବାର ଅଭିଯୋଗ କରି ବିଜେପି ସଭାପତି ଆଞ୍ଚଳିକ ଦଳର ଅଭିବୃଦ୍ଧି ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ଏହା ସହ ସେ କହିଛନ୍ତି ଯେ, ବିଜେପି “ବିବିଧତା ମଧ୍ୟରେ ଏକତା” ଉପରେ ବିଶ୍ୱାସ କରେ ଏବଂ କେନ୍ଦ୍ରକୁ ମଜବୁତ କରିବା ସହ ଆଞ୍ଚଳିକ ସ୍ତରରେ ଯୁବ ନେତାଙ୍କୁ ବା ନୂଆ ଆଶାୟୀଙ୍କୁ ସ୍ଥାନ ଦିଏ। ହେଲେ କଂଗ୍ରେସ ଏଭଳି କରୁନଥିବାରୁ ଏହା ଏବେ କେବଳ ଭାଇ-ଭଉଣୀଙ୍କ ଦଳ ହୋଇ ରହିଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts