ବନ୍ଦରରେ ଲାଗିଛି ପେଟ୍ରୋଲ ଜାହାଜ ହେଲେ କିଣିବାକୁ ଶ୍ରୀଲଙ୍କା ପାଖରେ ନାହିଁ ଟଙ୍କା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବନ୍ଦରରେ ଲାଗିଛି ପେଟ୍ରୋଲ ଜାହାଜ ହେଲେ କିଣିବାକୁ ଶ୍ରୀଲଙ୍କା ପାଖରେ ନାହିଁ ଟଙ୍କା । ତେବେ ପେଟ୍ରୋଲ୍‌ ଜାହାଜ ଆସି ବନ୍ଦରରେ ଲାଗିଥିଲେ ସୁଦ୍ଧା କିଣିବାକୁ ସରକାରଙ୍କ ପାଖରେ ବୈଦେଶିକ ମୁଦ୍ରା ନ ଥିବାରୁ ପେଟ୍ରୋଲ୍‌ ପମ୍ପ୍‌ରେ ଧାଡ଼ି ନ ବାନ୍ଧିବା ଲାଗି ଶ୍ରୀଲଙ୍କା ତା’ର ନାଗରିକମାନଙ୍କୁ କହିଛି। ବୁଧବାର ଦିନ ସାଂସଦରେ ଶକ୍ତିମନ୍ତ୍ରୀ କଞ୍ଚନ ବିଜେସେକେରା କହିଛନ୍ତି, ଆମ ଜଳରାଶିକୁ ଗୋଟାଏ ପେଟ୍ରୋଲ୍‌ ଜାହାଜ ଆସିଛି।

କିନ୍ତୁ, ଖରିଦ କରିବା ଲାଗି ବୈଦେଶିକ ମୁଦ୍ରା ନାହିଁ। ଆଜି କିଂବା କାଲି ଉକ୍ତ ଜାହାଜରୁ ପେଟ୍ରୋଲ୍‌ ଖରିଦ କରାଯାଇ ପାରେ ବୋଲି ଶ୍ରୀଲଙ୍କା ଆଶା କରୁଛି। ପୂର୍ବରୁ ମଧ୍ୟ ଶ୍ରୀଲଙ୍କା ଉପରେ ଉକ୍ତ ଯୋଗାଣକାରୀ କମ୍ପାନି ୫୩ ନିୟୁତ ଡଲାର୍‌ ବାକି ରଖିଛି। ସୋମବାର ଦିନ ମଧ୍ୟ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେ କହିଥିଲେ, ଦେଶରେ ଆଉ ମାତ୍ର ଗୋଟିଏ ଦିନ ପାଇଁ ପେଟ୍ରୋଲ୍‌ ଗଚ୍ଛିତ ରହିଛି। ଶ୍ରୀଲଙ୍କା ଜଳରାଶିରେ ଲଙ୍ଗର ପକାଇଥିବା ତିନୋଟି ଅଶୋଧିତ ତୈଳ ଓ ଫର୍ଣ୍ଣାନ୍‌ସ୍‌ ତୈଳ ଜାହାଜର ଦେୟ ପୈଠ କରିବା ଲାଗି ସରକାର ଡଲାର୍‌ ବ୍ୟବସ୍ଥା କରୁଛନ୍ତି।

Related Posts