ଗୋଆରେ କଂଗ୍ରେସକୁ ଲାଗିପାରେ ବଡ ଝଟ୍‌କା, ଦଳର ୮ ବିଧାୟକ ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋଆରେ କଂଗ୍ରେସକୁ ଲାଗିପାରେ ଏକ ବଡ଼ ଝଟ୍‌କା। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗମ୍ବର କାମାତ ଏବଂ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ ଆଠ ଜଣ କଂଗ୍ରେସ ବିଧାୟକ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ବିରୋଧୀ ଦଳର ନେତା ମାଇକେଲ ଲୋବୋ କଂଗ୍ରେସ ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ କଂଗ୍ରେସ ବିଧାୟକ ଦଳକୁ ଭାଜପା ସହିତ ମିଶ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ଗୋଆର ଭାଜପା ସଭାପତି ସଦାନନ୍ଦ ଶେଟ ତନାଓ୍ବଡେ ଦାବି କରିଛନ୍ତି ଯେ ଖୁବଶୀଘ୍ର ଗୋଆର ଆଠ ଜଣ କଂଗ୍ରେସ ବିଧାୟକ ଭାଜପାରେ ଯୋଗଦେବେ। ଏଥିରେ କଂଗ୍ରେସର ବହୁ ବଡ ନେତାଙ୍କ ନାମ ଅନ୍ତର୍ଭୁକ୍ତ ରହିଛି ବୋଲି ସେ କହିଛନ୍ତି। ତେବେ ଏହି ମନ୍ତବ୍ୟ ଆସିବା ପରେ ଗୋଆ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି।

ତେବେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଭାଜପାର ଏବେ ୨୦ ଜଣ ବିଧାୟକ ଅଛନ୍ତି। ଅପରପକ୍ଷରେ କଂଗ୍ରେସ ୧୧ ଜଣ ବିଧାୟକ ରହିଛନ୍ତି। ଏହା ବ୍ୟତୀତ ମହାରାଷ୍ଟ୍ରୱାଡି ଗୋମନ୍ତକ ପାର୍ଟିର ୨ ଜଣ ବିଧାୟକ। ଗୋଆ ଫରୱାର୍ଡ ପାର୍ଟିର ଜଣେ ବିଧାୟକ ଅଛନ୍ତି। ସେହିପରି ୬ ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ଏଭଳି ପରିସ୍ଥିତିରେ ଯଦି ଆଠ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦିଅନ୍ତି, ତେବେ ବିଧାନସଭାରେ କଂଗ୍ରେସ ବିଧାୟକ ସଂଖ୍ୟା ୩କୁ ଖସି ଆସିବ ଓ ଭାଜପାର ବିଧାୟକଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇବ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କଂଗ୍ରେସ ନେତା ଦିଗମ୍ବର କାମାତ, ମାଇକେଲ ଲୋବୋ, ଡି ଲୋବୋ, ରାଜେଶ ଫାଲଡେସାଇ, କେଦାର ନାୟକ, ସାଙ୍କଳ୍ପ ଆମୋନକର, ଆଲେକ୍ସୋ ସେକେରା ଏବଂ ରୁଡାଲ୍ଫ ଫର୍ଣ୍ଣାଣ୍ଡିସ କଂଗ୍ରେସ ଛାଡିପାରନ୍ତି। ବୁଧବାର ଏହି ବିଧାୟକମାନେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ମଧ୍ୟ ଭେଟିଛନ୍ତି। ଏହାପରେ ଖୁବଶୀଘ୍ର ଭାଜପାରେ ଯୋଗଦେବା ପାଇଁ ବିଧାୟକମାନେ ଘୋଷଣା କରିପାରିବେ ବୋଲି ଚର୍ଚ୍ଚା ହେଉଛି।

Related Posts