ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପର ମୁଖ୍ୟ ଆକର୍ଷଣ ହେଉଛି ନୂତନ ସଂସଦ ଗୃହ । ନିର୍ମାଣ ହେବା ପୂର୍ବରୁ ହିଁ ଏହା ଉପରେ ସମସ୍ତଙ୍କର ନଜର ରହିଆସିଛି । ଏହା ମଧ୍ୟରେ ନୂତନ ସଂସଦ ଗୃହ ନିର୍ମାଣରେ ଅତିରିକ୍ତ ୨୮୨ କୋଟି ଟଙ୍କା ଖର୍ଚ୍ଚ ହେବାର କଥା ସାମ୍ନାକୁ ଆସିଛି । ସେପଟେ ଏକ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୨୯ ପ୍ରତିଶତ ବୃଦ୍ଧି ପାଇଛି । ଏହି ପ୍ରକଳ୍ପକୁ ଟାଟା ପ୍ରୋଜେଷ୍ଟ କରୁଥିବାର ସୂଚନା ମିଳିଛି । ଭୂମିପୂଜନର ଏକ ବର୍ଷ ପରେ ଟାଟା ପ୍ରୋଜେଷ୍ଟ ପ୍ରାୟ ୪୦ ପ୍ରତିଶତ କାମକୁ ସମପ୍ତ ମଧ୍ୟ କରିସାରିଛି । ଅନ୍ୟପଟେ ଚାରି ମହୋଲା ବିଶିଷ୍ଟ କୋଠାଟି ପ୍ରାୟ ୧୩ ଏକର ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଛି । ଏହି ପ୍ରକଳ୍ପ ଚଳିତ ବର୍ଷ ଦେଶର ୭୫ତମ ସ୍ୱାଧୀନତା ଦିବସରେ ଶେଷ କରାଯିବ ବୋଲି ସୂଚନା ମିଳିଛି ।
ଅନ୍ୟାନ୍ୟ ପ୍ରକଳ୍ପ ପରି କୋଭିଡ କାରଣରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ସେପଟେ ନିର୍ମାଣ କାର୍ଯ୍ୟ ଜାତୀୟ ଗୁରୁତ୍ୱପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବା ପରେ ଏହି ପ୍ରତିବନ୍ଧକ ହଟାଯାଇଥିଲା । ତେବେ ବ୍ରିଟିଶ ଯୁଗର ବିଲ୍ଡିଂ ଏବଂ ସଂସଦମାନଙ୍କ କାର୍ଯ୍ୟାଳୟରେ ଆଧୁନିକ ଟେକ୍ନୋଲଜି ଅଭାବରୁ ନୂତନ ସଂସଦ ଗୃହ ନିର୍ମାଣ ଆବଶ୍ୟକ ପଡ଼ିଥିଲା । ଏପରିକି ୧୯୨୭ ମସିହାରେ ନିର୍ମିତ ଏହି ବିଲ୍ଡିଂରେ ଫାଟ ମଧ୍ୟ ସୃଷ୍ଟି ହୋଇଯାଇଥିଲା । ଏହି କୋଠାଟି ଭୂକମ୍ପ ପ୍ରତିରୋଧକ ନୁହେଁ କିମ୍ବା ଏଥିରେ ପର୍ୟ୍ୟାପ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଏହି ନୂତନ ବିଲ୍ଡିଂରେ ଲୋକସଭା ଚାମ୍ବରରେ ୮୮୮ ସଦସ୍ୟଙ୍କ ବସିବା କ୍ଷମତା ରହିଛି । ଭବିଷ୍ୟତର ବିସ୍ତାରିତ ଆବଶ୍ୟକତାକୁ ଧ୍ୟାନରେ ରଖି ରାଜ୍ୟସଭା ଚାମ୍ବରରେ ୩୮୪ ଜଣ ସଦସ୍ୟଙ୍କ ପାଇଁ ବସିବାର ବ୍ୟବସ୍ଥା ହେବ।
