ଆଜି ଆସିବ ପୌର ରେଜଲ୍ଟ, ସକାଳ 8ରୁ ଆରମ୍ଭ ହେଲାଣି ଭୋଟ ଗଣତି

ଭୁବନେଶ୍ୱର : ଆଜି ଆସିବ ପୌର
ନିର୍ବାଚନ ଫଳାଫଳ । କିଏ ମାରିବ ବାଜି ସେନେଇ ଆଶା ଆଶଂକା ମଧ୍ୟରେ ଆରମ୍ଭ ହୋଇଛି ଭୋଟିଂ । ଏହା ଉପରେ ସାରା ରାଜ୍ୟବାସୀଙ୍କ ନଜର, ଏବଂ ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ ଚିତ୍ର। ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ଶନିବାର ଦିନ ୩ ମହାନଗର ନିଗମ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରର ରେଜଲ୍ଟ । ଏହାସହ ୪୭ ଟି ମ୍ୟୁନିସିପାଲ ଏବଂ ୫୯ ଟି ଏନଏସି ସହ ମୋଟ୍ ୧୦୬ଟି ପୌର ପରିଷଦର ଆସିବ ରେଜଲ୍ଟ ।

ଇଭିଏମରେ ସିଲ୍ ହୋଇଥିବା ୬ ହଜାର ୪୧୧ ପ୍ରାର୍ଥୀଙ୍କ ଉପରେ ଜନାଦେଶ କଣ ରହିଛି ତାହା ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ । ତେବେ ଗତ ଥର ଅପେକ୍ଷା ଏଥର ମତଦାନ ହାର ଅଧିକ ରହିଛି । ଏଥର ମୋଟ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଗତ ପୌର ନିର୍ବାଚନରେ ୬୦. ୯୩ ପ୍ରତିଶତ ମତଦାନ ହୋଇଥିଲା । ୧୮୨୫ ୱାର୍ଡର ୪ ହଜାର ୩୬୦ ବୁଥରେ ମୋଟ୍ ୬ ହଜାର ୪୧୧ ପ୍ରାର୍ଥୀଙ୍କ ପାଇଁ ଭୋଟ ନିଆଯାଇଥିଲା। ୩ ମହାନଗର ନିଗମରେ କିଏ ପିନ୍ଧିବେ ମେୟର ତାଜ୍ । ଏହା ସହ ୧୦୬ଟି ପୌରାଞ୍ଚଳରେ ବାଜି ମାରିବ କିଏ- ଆଜି ଭୋଟ ଗଣତି ପରେ ସବୁ ହୋଇଯିବ ସ୍ପଷ୍ଟ । କେଉଁ ସହରରେ କେଉଁ ୱାର୍ଡରେ କାହାର ଚାଲିବ ରାଜ କହିବ ନିର୍ବାଚନ ଫଳ ।

ଇଭିଏମରେ ମତଦାନ ହୋଇଥିବାରୁ ଅପରାହ୍ନ ସୁଦ୍ଧା କେଉଁ ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିବେ ତାହା ଜଣାପଡ଼ିଯିବ। ହେଲେ ଗଣତି ପୂର୍ବରୁ ପ୍ରାର୍ଥୀଙ୍କ ହୃତ୍‌ସ୍ପନ୍ଦନ ବଢ଼ିବାରେ ଲାଗିଛି। ଯେଉଁ ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବାକୁ ଯଥାସମ୍ଭବ ଉଦ୍ୟମ କରିଥିଲେ ସେମାନେ ଏବେ ପୂଜାର୍ଚ୍ଚନାରେ ଲାଗିଛନ୍ତି। ସବୁ ଦଳର ପ୍ରାର୍ଥୀ ବିଜୟ ଆଶା ବାନ୍ଧି ବସିଛନ୍ତି। ଅପେକ୍ଷା ଆଜିର ଫଳାଫଳକୁ।

ଅପରପକ୍ଷେ ଭୋଟ୍ ଗଣତି ଯେପରି ସୁରୁଖୁରୁରେ ହେବ, ସେନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ୧୦୬ଟି ପୌରାଞ୍ଚଳ ଓ ତିନିଟି ମହାନଗର ନିଗମରେ ମତଦାନ ହୋଇଥିଲେ ହେଁ ଧାମନଗରକୁ ଛାଡ଼ି ବାକି ୧୦୮ଟି ସ୍ଥାନରେ ଶନିବାର ଭୋଟ୍ ଗଣତି ହେଉଛି। ଏଥର ଏନ୍ଏସିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ୍ ଗଣତି ପାଇଁ ଦୁଇଟି ଲେଖାଏଁ ଟେବୁଲ୍ ରଖାଯାଇଛି। ମ୍ୟୁନିସପାଲଟିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ୍ ଗଣତି ପାଇଁ ୫ଟି ଲେଖାଏଁ ଟେବୁଲ୍ ରଖାଯାଇଛି। ସେହିପରି ତିନିଟି ମହାନଗର ନିଗମର କର୍ପୋରେଟର ଓ ମେୟରଙ୍କ ଭୋଟ୍ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲ୍ ରଖାଯାଇଛି। ଯଥାସମ୍ଭବ ଶୀଘ୍ର ଭୋଟ୍ ଗଣତି ଶେଷ କରିବାକୁ କମିସନଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି।

Related Posts