ନିର୍ବାଚନର ଫାଇଦା ଉଠାଉଛନ୍ତି ନକଲି ମଦ କାରବାର କରୁଥିବା ମାଫିଆ: ସାରା ରାଜ୍ୟରୁ ୩୭୦୦ ଲିଟର ନକଲି ମଦ ଜବତ

ଭୁବନେଶ୍ବର : ରାଜ୍ୟରେ ଏବେ ଚାଲିଛି ନିର୍ବାଚନ ଋତୁ । ପ୍ରଥମେ ପଞ୍ଚାୟତ ନିର୍ବାଚନ ଏବେ ପୌର ନିର୍ବାଚନ । ଏହାରି ମଧ୍ୟରେ ଦୁଇ ନିର୍ବାଚନ ଶେଷ ହୋଇଥିବା ବେଳେ,ଆଜି ପ୍ରକାଶ ପାଇବ ପୌର ନିର୍ବାଚନ ଫଳାଫଳ । କିନ୍ତୁ ନିର୍ବାଚନ ଆଳରେ ମାଲା ମାଲା ହୋଇଚନ୍ତି ନକଳି ମଦ କାରବାର କରୁଥିବା ମାଫିଆ । ନିର୍ବାଚନ ଆଳରେ ନକଲି ମଦ କାରବାର କୁ ଜୋରଦାର କରିଛନ୍ତି । ଚାରିଆଡ଼େ ନକଲି ମଦର କାରଖାନା। କୋଲକାତାରୁ ସ୍ପିରିଟ୍, ଜାଲ୍ ସରକାରୀ ଲେବଲ୍‌ ଓ ରଙ୍ଗ ଆସି ତିଆରି ହେଉଛି ନକଲି ବିଦେଶୀ ମଦ। ଗତ ୩ ମାସ ହେଲା ନିର୍ବାଚନ ଋତୁ ଚାଲିଥିବାରୁ ମଦ ମାଫିଆଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା ଓ ସେମାନେ ନକଲି ମଦର ବନ୍ୟା ସୃଷ୍ଟି କରିଥିଲେ।

ଭୁବନେଶ୍ବର, ଖୋର୍ଦ୍ଧା, ବାଲେଶ୍ବର ସମେତ ଏକାଧିକ ଅଞ୍ଚଳରେ ଚାଲିଛି ଏହି ବେଆଇନ କାରବାର। ମାଫିଆମାନେ କୋଟି କୋଟି ଟଙ୍କାର ମୁନାଫା ପାଉଥିବା ବେଳେ ମଦ ମୃତ୍ୟୁର ଆଶଙ୍କା ଦେଖାଦେଇଛି । ଏବେ ରାଜ୍ୟରେ ବିପୁଳ ନକଲି ମଦ କାରବାର ନେଇ ଅବକାରୀ ବିଭାଗ ହାତରେ ତଥ୍ୟ ଲାଗିଛି। ପଞ୍ଚାୟତ ନିର୍ବାଚନ ଠାରୁ ପୌର ନିର୍ବାଚନ ସରିବା ପର୍ଯ୍ୟନ୍ତ ସାରା ରାଜ୍ୟରେ ଅବକାରୀ ବିଭାଗ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ଡ୍ରାଇଭ୍‌ରେ ୩୭୦୦ ଲିଟର ନକଲି ମଦ ଜବତ ହୋଇଛି। ଯାହାକି ସରକାରଙ୍କ ପାଇଁ ଏକ ସତର୍କ ଘଣ୍ଟ ଭଳି ହୋଇଛି। ବିଗତ ଦିନରେ ଖୋର୍ଦ୍ଧା, କଟକ, ପୁରୀ ଜିଲ୍ଲାରେ ବିଭିନ୍ନ ମଦ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ମିଳିଥିବା ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନ ବେଳେ ଦେଢ଼ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୬୬୩ ଲିଟର ନକଲି ବିଦେଶୀ ମଦ ଜବତ ହୋଇଥିଲା। ସେହିପରି ମଦ ତିଆରି ପାଇଁ ମହଜୁଦ୍ ରହିଥିବା ବିପୁଳ ପରିମାଣର ସ୍ପିରିଟ୍ ମଧ୍ୟ ଜବତ ହୋଇଥିଲା। ପୌର ନିର୍ବାଚନ ପାଇଁ ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୨୪ ତାରିଖ ପ୍ରାୟ ମାସେ ଧରି ଚାଲିଥିଲା ସ୍ବତନ୍ତ୍ର ଡ୍ରାଇଭ୍‌। ଏଥିରେ ୧୦୩୭ ଲିଟର ବିଦେଶୀ ମଦ ଜବତ କରାଯାଇଛି। ନକଲି ମଦ ବୋତଲରେ ଲଗା ହେବାକୁ ଆସିଥିବା ୨୭ ହଜାର ୨୩୨ ଲେବୁଲ, ବିଭିନ୍ନ କମ୍ପାନିର ୭୨୬୦ଟି ଷ୍ଟିକର୍ ଜବତ କରାଯାଇଛି।

ସେହିପରି ଏହି ମାସକ ମଧ୍ୟରେ ଲକ୍ଷେ ୧୨ ହଜାର ୨୬୩ ଲିଟର ଦେଶୀ ମଦ, ୯ ଲକ୍ଷ ୯ ହଜାର ୩୯୫ ଲିଟର ପୋଚ, ୨୯ କ୍ବିଣ୍ଟାଲ ଗଞ୍ଜେଇ, ୫୨୭ ଲିଟର ସ୍ପିରିଟ୍, ୬୩୭.୬ ଗ୍ରାମ ବ୍ରାଉନ୍‌ସୁଗାର, ୨୫୩୨ ଲିଟର ବିଦେଶୀ ମଦ, ୨୮୧୦ ଲିଟର ବିଅର, ୭୮୬.୬ ଲିଟର ଆସ୍କା-୪୦, ୧୪୪ ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ୩୮୯୫ ମାମଲା ରୁଜୁ ହୋଇଥିବା ବେଳେ ୩୧୯୫ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଜବତ ସାମଗ୍ରୀର ମୂଲ୍ୟ ୧୧ କୋଟି ୬୫ ଲକ୍ଷ ଲକ୍ଷ ଟଙ୍କା ହେବ ବୋଲି ଆକଳନ କର ଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ଏକ ପ୍ରେସ ବୃବତିରେ କୁହାଯାଇଛି। ସବୁଠୁ ବଡ଼ କଥା ହେଲା ଟିକସ ଫାଙ୍କି ବିକ୍ରି ହେବାକୁ ଆସିଥିବା ୯୩୪୧ ଲିଟର ବିଦେଶୀ ମଦ ମଧ୍ୟ ଜବତ ହୋଇଛି ।

Related Posts