
ଭୁବନେଶ୍ୱର,୨୮/୫(ସତ୍ୟପାଠ ବ୍ୟୁରୋ): ବୈଦିକ ବିଧି ବିଧାନ ସହ ଲୋକାର୍ପିତ ହେଲା ଦେଶର ନୂଆ ସଂସଦ ଭବନ। ଭାରତୀୟ ଗଣତନ୍ତ୍ରକୁ ମିଳିଲା ସ୍ଵାଭିମାନର ଭବ୍ୟ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟାଧୁନିକ ସଂସଦ ସୌଧର ଲୋକାର୍ପଣ କରି ରାଷ୍ଟ୍ରକୁ ସମର୍ପଣ କରିଛନ୍ତି। ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ଐତିହ୍ୟ ସେଙ୍ଗୋଲ ସ୍ଥାପନ କରିବା ପରେ ସଂସଦ ଭବନ ଲୋକାର୍ପଣ କରାଯାଇଛି।
ସମ୍ମାନିତ ହେଲେ ଓଡ଼ିଆ ଶ୍ରମିକ-
ଏହାପରେ ନୂଆ ସଂସଦ ଭବନ ନିର୍ମାଣରେ ନିୟୋଜିତ ଶ୍ରମିକମାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଛନ୍ତି। ଓଡ଼ିଶା ଚାନ୍ଦିପୁରର ପୁରଞ୍ଜନ ଦଳାଇଙ୍କୁ ସମ୍ମାନିତ କରାଯାଇଛି।
ସଂସଦ ଭବନ ହଲ୍ରେ ହେଲା ସର୍ବଧର୍ମ ପ୍ରାର୍ଥନା ସଭା-
ସେହିପରି ସଂସଦ ଭବନ ଲୋକାର୍ପଣ ପରେ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ଏଥିରେ ୧୨ଟି ଧର୍ମର ପ୍ରତିନିଧିମାନେ ପବିତ୍ର ଶବ୍ଦ ଉଚ୍ଚାରଣ କରି ନୂଆ ସଂସଦ ପାଇଁ ପ୍ରାର୍ଥନା କରିଛନ୍ତି। ବୌଦ୍ଧ, ଜୈନ, ପାର୍ସୀ, ହିନ୍ଦୁ, ଶିଖ, ଇହୁଦୀ, ଇସଲାମ ସମେତ ବିଭିନ୍ନ ଧର୍ମର ପ୍ରତିନିଧିମାନେ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ କ୍ୟାବିନେଟ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପ୍ରାର୍ଥନା ସଭାରେ ଉପସ୍ଥିତ ଅଛନ୍ତି।
ସ୍ଥାପନ ହେଲା ଐତିହ୍ୟ ସେଙ୍ଗୋଲ-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ନୂଆ ସଂସଦ ଭବନର ଉଦଘାଟନ ପାଇଁ ପୂଜାରେ ବସିଥିଲେ। ତାମିଲନାଡ଼ୁରୁ ଆସିଥିବା ସାଧୁ ସନ୍ଥମାନଙ୍କ ମନ୍ତ୍ର ଉପଚାର ସହ ପ୍ରାୟ ୧ ଘଣ୍ଟା ଧରି ପୂଜାବିଧି ଚାଲିଥିଲା। ପୂଜା ପରେ ଅଧିନମ ମଠର ପୂଜାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ସମର୍ପଣ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସାଷ୍ଟାଙ୍ଗ ଦଣ୍ଡବତ କରି ସଂସଦ ଭବନ ଭିତରକୁ ପ୍ରବେଶ କରି ଏହାକୁ ଯଥା ସ୍ଥାନରେ ସ୍ଥାପନ କରିଥିଲେ।