ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପାଇଁ ମାର୍ଚ୍ଚ ୨୫ରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହା ମଧ୍ୟରେ ଶପଥଗ୍ରହଣ ଉତ୍ସବରେ ଦେଶର ୫୦ ବଡ଼ ବଡ ଉଦ୍ଦ୍ୟୋଗପତି ଯୋଗ ଦେବାର ଖବର ସାମ୍ନାକୁ ଆସିଛି । ତେବେ ଏପରି କରିବା ଦ୍ୱାରା ଦେଶର ସବୁଠାରୁ ବଡ଼ ରାଜ୍ୟର ଅର୍ଥବ୍ୟବସ୍ଥାକୁ ଏକ ଟ୍ରିଲିୟନ ଡଲାର କରିବା ଲାଗି ଯୋଗୀ ଆଦିତ୍ୟନାଥ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବୋଲି ଅନୁମାନ କରାଯାଉଛି । କାହିଁକିନା ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଯେଉଁ ରିକ୍ୱେଷ୍ଟ ଅଫ ପ୍ରପୋଜାଲ ଜାରି କରାଯାଇଛି ୧ ଟ୍ରିଲିୟନ ଡଲାର ଇକୋନମି କରିବାର, ଏଥିପାଇଁ ଉଦ୍ଦ୍ୟୋଗପତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହାଯାଉଛି ।
ଏହି ଲକ୍ଷ୍ୟ ପୂରଣ କରିବାକୁ ୫ ବର୍ଷ ସମୟ ଦିଆଯାଇଛି । ତେଣୁ ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରାୟ ୫୦ ଉଦ୍ଦ୍ୟୋଗପତିଙ୍କୁ ନିମନ୍ତ୍ରଣ କରାଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଟାଟା ଗ୍ରୁଫ, ଅମ୍ବାନି ଗ୍ରୁଫ, ଆଦିତ୍ୟ ବିରଲା ଗ୍ରୁପ, ଆଦାନୀ ଗ୍ରୁପ, ଫ୍ଲିପକାର୍ଟ ଓ ଆଇଜିଏଲ ଗ୍ରୁପ । ଏସବୁ ମଧ୍ୟରେ ଗୋଟିଏ ପ୍ରଶ୍ନ ସାମ୍ନାକୁ ଆସୁଛି ଯେ ୫ ବର୍ଷ ମଧ୍ୟରେ କଣ ଏହି ସବୁ ଲକ୍ଷ୍ୟ ପୂରଣ ହୋଇପାରିବ । କାହିଁକିନା ଦେଶରେ କରୋନା ଯୋଗୁଁ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏହାକୁ ପୂର୍ବପରି ଆଣିବାକୁ କିଛି ସମୟ ଲାଗିପାରେ । ହେଲେ ବର୍ତ୍ତମାନ ଦେଖିବାକୁ ବିଷୟ ୟୁପି ସରକାରଙ୍କ ଲକ୍ଷ୍ୟ କେବେ ପୂରଣ ହେଉଛି ।