ନବ ଦାସଙ୍କୁ ଗୋପାଳ ମାରିଥିବା ଗୁଳିକୁ ପାଇଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୩/୨(ସତ୍ୟପାଠ ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଯେଉଁସ୍ଥାନରେ ହତ୍ୟା କରାଯାଇଥିଲା ସେହି ସ୍ଥାନରୁ ଏକ ଗୁଳି ଜବତ ହୋଇଛି। କ୍ରାଇମବ୍ରାଞ୍ଚ ଟିମ୍ ପକ୍ଷରୁ ଏହି ସୂଚନା ମିଳିଛି। କ୍ରାଇମସ୍ପଟରେ ସାଇଣ୍ଟିଫିକ୍ ଅଫିସର ଏବଂ ବାଲାଷ୍ଟିକ ଏକ୍ସପୋର୍ଟ ଫାରୋ ଥ୍ରୀ-ଡି କ୍ୟାମେରା ବ୍ୟବହାର କରି ଯାଞ୍ଚ କରୁଥିବା ବେଳେ ଏକ ଗୁଳି ଜବତ କରିଛନ୍ତି।ଯାହାକି ଏହି ହତ୍ୟା ଘଟଣାର ବଡ ପ୍ରମାଣ ଏବଂ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଗୋଟିଏ ବଡ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି।

ଅନ୍ୟପଟେ ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସକୁ ରିମାଣ୍ଡରେ ନେବାର ଆଜି ହେଉଛି ତୃତୀୟ ଦିନ। ଜେରା ବେଳେ ଅଭିଯୁକ୍ତର ବୟାନକୁ ଆଧାର କରି ହାତଲେଖା କାଗଜ ବିମାନବନ୍ଦର ଥାନାର ଶୌଚାଳୟ ଟାଙ୍କିରୁ ଉଦ୍ଧାର ହୋଇଥିବା ତଦନ୍ତକାରୀ ଟିମ୍ କହିଛି। ଅଭିଯୁକ୍ତଙ୍କ ଠାରୁ କିଛି ହାତଲେଖା କାଗଜ ଜବତ କରାଯାଇଛି। ଏସବୁକୁ ପରୀକ୍ଷା ପାଇଁ ଫରେନ୍ସିକ ଓ ହସ୍ତଲେଖା ବିଶେଷଜ୍ଞଙ୍କ ନିକଟକୁ ପଠାଯିବ ବୋଲି ତଦନ୍ତକାରୀ ଟିମ୍ କହିଛି।

ମୃତକଙ୍କ ସଂରକ୍ଷିତ ଭିସେରାକୁ କେମିକାଲ ପରୀକ୍ଷା ଓ ମତାମତ ପାଇଁ ଏସ୍ଏଫ୍ଏସ୍ଏଲ୍, ରସୁଲଗଡ଼କୁ ପଠାଯାଇଛି। ସେହିପରି ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ଚିକିତ୍ସା ରେକର୍ଡ ଓ ଆର୍ଥିକ କାରବାର ଯାଞ୍ଚ କରାଯାଉଛି। ବ୍ରହ୍ମପୁରରେ ଅଭିଯୁକ୍ତ ଏଏସ୍ଆଇର ବଡ଼ଭାଇଙ୍କୁ ପଚରାଉଚରା କରାଯାଉଥିବା ସୂଚନା ରହିଛି।

Related Posts