ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବଢିଲା ଅଡୁଆ: ବାନ୍ଧବୀ ସୋମାଲିକାଙ୍କ ଏତଲା ପଞ୍ଜିକୃତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩/୨(ସତ୍ୟପାଠ ବ୍ୟୁରୋ): ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାହ ବିବାଦ ମାମଲାରେ ବିଧାୟକଙ୍କ ପାଇଁ ବଢ଼ିଲା ଅଡ଼ୁଆ ।ବାନ୍ଧବୀ ସୋମାଲିକାଙ୍କ ଏତଲା ପଞ୍ଜିକୃତ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ସୋମାଲିକା ଯେଉଁ ଥାନାରେ ଏତଲା ଦେବେ ତାଙ୍କ ଏତଲାକୁ ପଞ୍ଜିକରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିବାହ ବିବାଦକୁ ନେଇ ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକା ଦାଶଙ୍କ ବିବାଦ ମାମଲା ନୂଆ ମୋଡ ନେଇଛି । ସୋମାଲିକାଙ୍କ ଏତଲା ପଞ୍ଜୀକରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାନି ଲିଖିତ ଅଭିଯୋଗ ସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶର ସାର୍ଟିଫାଏଡ କପି ଜଗତସିଂହପୁର ଥାନା ଆଇଆଇସିଙ୍କ ନିକଟରେ ଆବେଦନକାରୀ ଦାଖଲ କରିବା ପରେ ଏତଲା ପଞ୍ଜୀକରଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି । ଏଥି ସହିତ ସୋମାଲିକାଙ୍କ ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମାଲିକାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ, ବିବାହ ପାଇଁ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଉଭୟ ବିଜୟଶଙ୍କର ଓ ସୋମାଲିକା ଆବେଦନ କରିଥିବା ବେଳେ ନିର୍ଦ୍ଧାରିତ ସମୟ ‌ଶେଷ ହୋଇଥିଲେ ମଧ୍ୟ ବିବାହ ହୋଇ ପାରିନଥିଲା । ଅନ୍ୟପକ୍ଷରେ ଜଗତସିଂହପୁର ଥାନାରେ ସୋମାଲିକାଙ୍କ ପକ୍ଷରୁ ବିଜୟ ଶଙ୍କରଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ୨୦୨୨ ମେ’ ୧୩ରେ ଏତଲା ପରେ ମଧ୍ୟ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଦର୍ଶାଇ ସୋମାଲିକା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ସହର ଦେଉଳି ଗ୍ରାମେଶ୍ବର ଗ୍ରାମର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା ଦାଶ ବିଜୟ ଶଙ୍କରଙ୍କ ନାମରେ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଥିଲେ । ଏହି ଘଟଣା ପଦାକୁ ଆସିବା ପରେ ବିଜୟ ଶଙ୍କର ସ୍ଥାନୀୟ ସବରେଜିଷ୍ଟ୍ରାରଙ୍କ ନିକଟରେ ବିବାହ ପାଇଁ ଆବେଦନ କରିଥିଲେ । ଗତ ଜୁନ ୧୭ରେ ଉଭୟ ପକ୍ଷ ନିଷ୍ପତ୍ତି ଅନୁସାରେ ବିବାହ ପାଇଁ ଦିନ ସ୍ଥିର ହୋଇଥିଲା । କିନ୍ତୁ ବିବାହ ପାଇଁ ବିଧାୟକ ସବରେଜିଷ୍ଟ୍ରାର ଅଫିସକୁ ଆସିନଥିଲେ । ପରବର୍ତ୍ତୀ ସମୟରେ ପ୍ରେମିକା ସୋମାଲିକା ଜଗତସିଂହପୁର ଥାନାରେ ବିଜୟଙ୍କ ନାମରେ ଏତଲା ଦେଇଥିଲେ । ଏପରିକି ବିଧାୟକ ସେକ୍ସ ରାକେଟ ଚଳାଉଥିବାର ମଧ୍ୟ ସେ ଅଭିଯୋଗ କରିଥିଲେ ।

Related Posts