ବଲାଙ୍ଗୀର ନକଲି ସାର୍ଟିଫିକେଟ୍‌ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧/୪ (ସତ୍ୟପାଠ ବ୍ୟୁରୋ): ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍। କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଏଥିପାଇଁ ଜଣେ ଡିଏସପିଙ୍କ ନେତୃତ୍ଵରେ ଦୁଇଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ବଲାଙ୍ଗିର ଗସ୍ତ କରି ସ୍ପଟ ଭେରିପିକେସନ୍ କରିବ। ଅନ୍ୟ ଏକ ଟିମ୍ ବଲାଙ୍ଗିର ପୋଲିସର ତଦନ୍ତ ନେଇ କାଗଜପତ୍ର ଛାନଭିନ୍ କରିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୩ ତାରିଖରେ ବଲାଙ୍ଗିର ଡାକ ମଣ୍ଡଳର ପ୍ରାୟ ୩୮ଜଣ ଆଶାୟୀଙ୍କ ସନ୍ଦିଗ୍ଧଙ୍କ ସାର୍ଟିଫିକେଟ ସାମ୍ନାକୁ ଆସିଥିଲା । ଆଶାୟୀମାନେ ବିଭିନ୍ନ ବିଷୟରେ ୧୦୦ରୁ ୯୮, ୯୯ ମାର୍କ ରଖିଥିବା ସାର୍ଟିଫିକେଟ ଦାଖଲ କରିଥିଲେ । ହେଲେ ଯାଞ୍ଚବେଳେ ସେମାନଙ୍କ ମଧ୍ୟରୁ ଅନେକ ନିଜ ନାଁ ମଧ୍ୟ ସଠିକ ଭାବରେ ଲେଖି ପାରିନଥିଲେ । ତେଣୁ ଆଶାୟୀମାନେ ନକଲି ସାର୍ଟିଫିକେଟ ଦାଖଲ କରିଥିବା ସନ୍ଦେହ କରି ଡାକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଥିଲେ । ଉକ୍ତ ରିପୋର୍ଟ ଆଧାରରେ ଟାଉନ ପୁଲିସ ବିଭିନ୍ନ ସ୍ଥାନରେ ମାରାଥନ ଚଢ଼ଉ କରି ନକଲି ସାର୍ଟିଫିକେଟଧାରୀଙ୍କୁ ଉଠାଇଆଣିଥିଲା । ସେମାନଙ୍କ ସୂଚନା ଆଧାରରେ ସହରର ମିଶନ ଫିଲ୍ଡ ସାମ୍ନା ରିଲାଏନ୍ସ ଏଜୁକେସନ କମ୍ପେ୍ଲକ୍ସରେ ଚଢ଼ଉ କରିଥିଲା । ଯେଉଁଠି ୧୪ଟି ରାଜ୍ୟର ପ୍ରାୟ ୪୦ଟି ନାମୀଦାମୀ ବିଶ୍ୱବିଦ୍ୟାଳୟର ପ୍ରାୟ ୧ହଜାରରୁ ଅଧିକ ନକଲି ସାର୍ଟିଫିକେଟ ମିଳିଥିଲା ।

ଏଥିସହ ପୁଲିସ ୨୭ଟି ରବର ଷ୍ଟାମ୍ପ, ଚାରିଟି କମ୍ପ୍ୟୁଟର, ଦୁଇଟି ଲାପ୍‌ଟପ, ତିନିଟି ପ୍ରିଣ୍ଟର୍ସ, ଗୋଟିଏ ସ୍କାନର, ଗୋଟିଏ ଜେରକ୍ସ ମେସିନ ସହ ମୋଟ ତିନିଲକ୍ଷ ୬୭ହଜାର ଟଙ୍କା ଜବତ କରିଥିଲା । ତେବେ ସେଠାରେ କେବଳ ଜାଲ ସାର୍ଟିଫିକେଟ ପ୍ରସ୍ତୁତ ନୁହେଁ ବରଂ ସାର୍ଟିଫିକେଟ ଭେରିଫାଏ ଜାଲିଆତି ମଧ୍ୟ ହେଉଥିଲା । ନକଲି ସାର୍ଟିଫିକଟରେ ନକଲି ସିଲ/ଷ୍ଟାମ୍ପ ମାରି ପ୍ରତି ସାର୍ଟିଫିକେଟକୁ ୨ରୁ ୫ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ଜଣାପଡିଥିଲା । ତେଣୁ ଜାଲିଆତି ଅଭିଯୋଗରେ ପୁଲିସ ଉକ୍ତ ସଂସ୍ଥାର ମୁଖ୍ୟ ମନୋଜ ମିଶ୍ର, ସହଯୋଗୀ ଆଲୋକ ରଞ୍ଜନ ଉଦ୍‌ଗାତା ସମେତ ୧୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମନୋଜ ମିଶ୍ର ସାର୍ଟିଫିକେଟ ଜାଲିଆତି ସମେତ ଚାକିରି ପାଇଁ ଟଙ୍କା ଦେଣନେଣ କରୁଥିବାର ତଥ୍ୟ ପାଇଥିଲା । ସେ ଏମସିଏଲ, ରେଲୱେ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାକିରି କରାଇଦେବାକୁ କହି ଆଶାୟୀଙ୍କ ଠାରୁ ଟଙ୍କା ଅସୁଲି କରୁଥିଲେ । ତେଣୁ ଆର୍ଥିକ କାରବାର ହେଉଥିବା ମନୋଜଙ୍କ ପ୍ରାୟ ୭ଟି ଓ ଅନ୍ୟ ସହଯୋଗୀଙ୍କ ୫ଟି ଆକାଉଣ୍ଟକୁ ଫ୍ରିଜ କରାଯାଇଛି ।

Related Posts