
ବିମାନରେ ଓଡିଶା ଫେରୁଥିବା ବ୍ୟକ୍ତିଙ୍କ ହାତରେ ଲଗାଯାଉଥିବା କ୍ୱାରେଣ୍ଟାଇନ୍ ଷ୍ଟାମ୍ପ ଏବେ ଚିନ୍ତାର କାରଣ ପାଲଟିଛି । ଏଥିରେ ବ୍ୟବହାର ହେଉଥିବା ରସାୟନିକ କାଳି ଯୋଗୁଁ ବହୁ ଲୋକଙ୍କ ହାତରେ ଚର୍ମ ସଂକ୍ରମଣ ହୋଇ ଫୋଟକା ବାହାରିବା ସହିତ କୁଣ୍ଡାଇ ହୋଇ ଫଳି ଯାଉଛି । ଏଥିପାଇଁ ପ୍ରତିଦିନ ଶହ ଶହ ଲୋକେ ଏବେ ଏହାର ଉପଚାର ପାଇଁ କରୋନା ନିୟନ୍ତ୍ରଣ କକ୍ଷକୁ ଫୋନ୍ କରିବାରେ ଲାଗିଛନ୍ତି ।
ସରକାରୀ ନିୟମ ମୁତାବକ ଓଡିଶା ଫେରୁଥିବା ବ୍ୟକ୍ତିଙ୍କୁ ୧୪ଦିନ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡିବ । ତେଣୁ ବିମାନବନ୍ଦରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କର୍ତ୍ତୃପକ୍ଷ ପ୍ରବାସୀଙ୍କ ହାତରେ ଚିହ୍ନଟ ସ୍ୱରୂପ ଷ୍ଟାମ୍ପ ଲଗାଇ ଦେଉଛନ୍ତି । ଏହି ଷ୍ଟାମ୍ପରେ ଲାଗିଥିବା କାଳି ସହଜରେ ଲୋକଙ୍କୁ ହାତରୁ ଛାଡୁନାହିଁ । ଏଥିରେ ସେମାନଙ୍କ ଆଗମନର ତାରିଖ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ଲେଖାହେବା ସହିତ ରାଜ୍ୟ ସରକାରଙ୍କ ଚିହ୍ନ ରହିଛି ।
ପ୍ରତ୍ୟେକ ବ୍ୟକ୍ତିଙ୍କ ଡାହାଣ ହାତର ପାପୁଲି ଉପରକୁ ଏହି ଷ୍ଟାମ୍ପ ଲଗାଯିବା ସହିତ ସେମାନଙ୍କ ନାମ, ଠିକଣା, ମୋବାଇଲ୍ ନମ୍ବର ଆଦି ସଂଗ୍ରହ ହେଉଛି । ଲକ୍ଷ୍ୟ ହେଉଛି ରାଜ୍ୟ ବାହାରୁ ଫେରୁଥିବା କୌଣସି ବ୍ୟକ୍ତି ଯଦି କରୋନା ସଂକ୍ରମିତ ହୁଅନ୍ତି ତେବେ ତାଙ୍କୁ ସହଜରେ ଠାବ କରାଯାଇ ପାରିବ । ତେବେ ଏହି ଷ୍ଟାମ୍ପରେ ବ୍ୟବହୃତ ହେଉଥିବା କାଳି ଯୋଗୁଁ ଅନେକ ବ୍ୟକ୍ତିଙ୍କ ହାତରେ ଚର୍ମ ସଂକ୍ରମଣ ଦେଖାଯାଉଛି । କାହାର କୁଣ୍ଡାଇ ହୋଇ ଫଳି ଯାଉଛି ତ ଆଉ କାହାର ଘା’ ସୃଷ୍ଟି ହେଉଛି ।
ସମ୍ପୃକ୍ତ ବ୍ୟକ୍ତି ଘରେ ପହଞ୍ଚିବା ପରେ ଏଭଳି ପ୍ରତିକ୍ରିୟା ଆରମ୍ଭ ହେବାପରେ ଉପଚାର ପାଇଁ କରୋନା ନିୟନ୍ତ୍ରଣ କକ୍ଷକୁ ଫୋନ୍ କରିବାରେ ଲାଗୁଛନ୍ତି । ହେଲେ ସେପଟୁ ଉତ୍ତର ଆସୁଛି ଆପଣ ଚର୍ମରୋଗ ବିଶେଷଜ୍ଞଙ୍କୁ ଦେଖାନ୍ତୁ । ଏପରିକି କିଛି ଡାକ୍ତରଙ୍କ ଠିକଣା ଓ ଟେଲିଫୋନ୍ ନମ୍ବର ବି ପ୍ରଦାନ କରାଯାଉଛି ।
ଷ୍ଟାମ୍ପରେ ବ୍ୟବହୃତ କାଳି ଯୋଗୁଁ ଲୋକେ ଏଭଳି ଚର୍ମ ସଂକ୍ରମଣରେ ପଡୁଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । କାଳିବୋଳା ଷ୍ଟାମ୍ପ ବଦଳରେ ଟ୍ୟାଗ୍ କିମ୍ବା ବାରକୋଡ୍ ବ୍ୟବସ୍ଥା କରାଯାଇ ପାରିବ ବୋଲି ମତପ୍ରକାଶ ପାଉଛି । ବିମାନରେ ଆସୁଥିବା ବ୍ୟକ୍ତିମାନଙ୍କ ନାମ, ଠିକଣା ଓ ଟେଲିଫୋନ୍ ନମ୍ବର ନେବାପରେ ଏଭଳି ରସାୟନିକଯୁକ୍ତ କାଳିରେ ଷ୍ଟାମ୍ପ ମାରିବା କ’ଣ ଆବଶ୍ୟକ ବୋଲି କିଛି ଓଡିଶା ଫେରନ୍ତା ପ୍ରଶ୍ନ କରିଛନ୍ତି ।
ବର୍ତ୍ତମାନ କରୋନା ଭୟରେ ଅନେକ ଡାକ୍ତର ରୋଗୀଙ୍କୁ ସ୍ପର୍ଶ କରୁନଥିବା ଓ ସଂକ୍ରମଣ ଭୟରେ ଲୋକେ ଚିକିତ୍ସାଳୟ ମାଡୁନଥିବାରୁ ଷ୍ଟାମ୍ପକାଳିରେ ସଂକ୍ରମିତ ଲୋକେ ନିଜ ହାତର ଚିକିତ୍ସା କରାଇବାକୁ ବି ଭୟ କରୁଛନ୍ତି । ୧୪ଦିନ କାଳ ଲୋକଙ୍କୁ ଘରେ ରଖିବା ଉଦ୍ଦେଶ୍ୟ ନେଇ କର୍ତ୍ତୃପକ୍ଷ ସେମାନଙ୍କ ହାତରେ ଷ୍ଟାମ୍ପ ମାରୁଥିବାବେଳେ ଏବେ ଷ୍ଟାମ୍ପ କାଳି ଯୋଗୁଁ ସଂକ୍ରମିତ ଲୋକେ ନିଜ ହାତର ଚିକିତ୍ସାପାଇଁ ଘରୁ ବାହାରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏଭଳି ରସାୟନିକଯୁକ୍ତ କାଳିବୋଳା ଷ୍ଟାମ୍ପ ବଦଳରେ ବିମାନବନ୍ଦରରେ ଅନ୍ୟ କିଛି ବ୍ୟବସ୍ଥା କରିବାଲାଗି ମତପ୍ରକାଶ ପାଉଛି ।