ନୂଆଦିଲ୍ଲୀ : ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ମୁଖ୍ୟ ଅବୁ ହସନ ହସିମି ଅଲ୍ କୁରୈସୀର ମୃ୍ତ୍ୟୁ ହୋଇଛି। ଏନେଇ ଇସଲାମିକ ଷ୍ଟେଟ୍ର ଜିହାଦି ଗୃପ୍ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ କୁରୈସିର ମୃତ୍ୟୁକୁ ନେଇ ଦିନ କିମ୍ୱା ତାରିଖ ସ୍ପଷ୍ଟ ଭାବରେ ସଙ୍ଗଠନ ପକ୍ଷରୁ କୁହାଯାଇନାହିଁ। କିନ୍ତୁ ଇସ୍ଲାମିକ୍ ଷ୍ଟେଟ୍ର ପ୍ରବକ୍ତା ଏକ ଅଡ଼ିଓ ମେସେଜରେ ସଙ୍ଗଠନର ନୂଆ ମୁଖ୍ୟ ଭାବେ ଅବୁ ଅଲ୍ ହୁସେନ୍ ହୁସୈନି ଅଲ୍ କୁରୈସିକୁ ନିଯୁକ୍ତ କରାଯାଇଛି ବୋଲି ଘୋଷଣା କରିଛନ୍ତି।
ଏହି ଆତଙ୍କବାଦୀ ସଙ୍ଗଠନକୁ ୨୦୧୪ରେ ଇରାକ୍ ଏବଂ ଦୁଇବର୍ଷ ପରେ ସିରିଆରୁ ପଛକୁ ହଟିବାକୁ ପଡ଼ିଥିଲା। ସୁନ୍ନି ମୁସଲିମ୍ର ଚରମପନ୍ଥି ଦଳର ସ୍ଲିପର୍ ସେଲ୍ ଏବେ ବି ୨ଟି ଦେଶରେ ଆକ୍ରମଣ କରିବା ସହିତ ଦୁନିଆର ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଥିବା ଦାବି କରୁଛି।ଆଇଏସ୍ଆଇଏସର ପୂର୍ବ ନେତା ଅବୁ ଇବ୍ରାହିମ୍ ଅଲ୍ କୁରୈସି ଚଳିତ ବର୍ଷ ଆରମ୍ଭରେ ଉତ୍ତର ସିରିଆର ଇଦାଲିବ୍ରେ ଆମେରିକ ସେନା ଅପରେସେନରେ ପ୍ରାଣ ହରାଇଥିଲା।
ସୂଚନାଥାଉକି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଗଣମାଧ୍ୟମକୁ କହିଥିଲେ ଯେ, ଆମେରିକା ସେନାର ଏକ ସ୍ୱତନ୍ତ୍ର ଅଭିଯାନରେ ଆଇଏସଆଇଏସର ସରଦାର ଅଲ୍ କୁରୈସୀକୁ ମାରିଦେଇଛନ୍ତି। କିନ୍ତୁ ଇସଲାମିକ୍ ଷ୍ଟେଟ୍ ଏହାର କୌଣସି ସ୍ପଷ୍ଟୋକ୍ତି ଦେଇନଥିଲା। ଅବୁ ଇବ୍ରାହିମ୍ ଆଇଏସର ପୂର୍ବ ମୁଖ୍ୟ ବାଗଦାଦୀର ମୃତ୍ୟୁ ପରେ ୨୦୧୯ ଅକ୍ଟୋବରରେ ଦାୟିତ୍ୱ ଗ୍ରହଣ କରିଥିଲା।
