ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଠାରୁ ଆରମ୍ଭ ହେଲା ଭିତର ରତ୍ନଭଣ୍ଡାର ଗଣତିମଣତି । ପ୍ରଥମ ଦିନରେ ବ୍ୟବହାର ହେଲା ୨ଟି ସିନ୍ଦୁକ । ଆଜି ମଧ୍ୟାହ୍ନ ୧୨ଟା ୨୫ମିନିଟ୍‌ରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସମେତ ପ୍ରାଧିକୃତ ସଦସ୍ୟମାନେ ପ୍ରବେଶ କରିଥିଲେ ଓ ୫ଟା ୪୭ରେ ଏହି ପ୍ରଥମ ଦିନର ପ୍ରକ୍ରିୟା ଶେଷ ହୋଇଥିଲା। ଭଣ୍ଡାର ଭିତରେ ଭିତର ଭଣ୍ଡାରର ରତ୍ନ ଗଣତି କରିବାକୁ ନିୟମ ଥିବାରୁ କେବଳ ପ୍ରସ୍ତୁତି ପାଇଁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା। ଗଣତି ପୂର୍ବରୁ ଟ୍ରେଜେରିରୁ ଚାବି ଅଣାଯାଇଥିଲା। ଭିତର ଭଣ୍ଡାର ଗଣତିର ପ୍ରଥମ ଦିନରେ ୨ଟି ସିନ୍ଦୁକ ବ୍ୟବହାର କରାଯାଇଛି। ଆଲମାରିରୁ ଅଣାଯାଇ ଗଣତି ହେବା ପରେ ରତ୍ନ ସବୁକୁ ସିନ୍ଦୁକରେ ରଖାଯାଇଛି। ସେପଟେ ଭିତର ଭଣ୍ଡାରର ରତ୍ନ ଭଣ୍ଡାର ମେକାପଙ୍କୁ ମଣତି କରିବା ନିୟମ ନଥିବାରୁ ଏହି ରତ୍ନ ସବୁକୁ କେବଳ ଗଣତି କରାଯାଇଛି। ଗଣତି ଓ ଓଜନ ମାପ କରାଯିବା ପରେ ୧୯୭୮ ମସିହା ତାଲିକା ସହ ମେଳକ କରାଯାଇଛି। ସୁନାକୁ ହଳଦିଆ ମୁଣି ଓ ରୂପାକୁ ଧଳାମୁଣିରେ ରଖାଯାଇ ଷ୍ଟିଲ୍‌ ବାକ୍ସରେ ଭର୍ତ୍ତି କରି ସିନ୍ଦୁକରେ ରଖାଯାଇଛି। ପ୍ରତ୍ୟେକ ବାକ୍ସରେ ପିତ୍ତଳ ଟ୍ୟାଗ୍‌ ଲଗାଯାଇଛି। ଫଳରେ ଭବିଷ୍ୟତରେ ଯେବେ ବି ଗଣତି ହୁଏ ତେବେ ଚିହ୍ନଟ ଓ ମେଳକ ଅତି ସହଜ ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ।