(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବଢିବ ଦିଲ୍ଲୀ ବିଧାନସଭାର ବଧାୟକଙ୍କ ଦରମା। ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ବୈଠକରେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କ୍ୟାବିନେଟର ପ୍ରସ୍ତାବ ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀର ବିଧାୟକମାନଙ୍କୁ ମାସିକ ୩୦ ହଜାର ଟଙ୍କା ଦରମା ମିଳିବ । ପୂର୍ବରୁ ବିଧାୟକଙ୍କୁ ମାସିକ ୧୨ ହଜାର ଟଙ୍କା ଦରମା ମିଳୁଥିଲା ।
ମଙ୍ଗଳବାର ଦିନ ଦିଲ୍ଲୀ କ୍ୟାବିନେଟ ଦ୍ୱାରା ପାରିତ ହୋଇଥିବା ଏହି ପ୍ରସ୍ତାବ ଅନୁଯାୟୀ ବର୍ତ୍ତମାନ ବିଧାୟକଙ୍କ ଦରମା ଓ ଅନ୍ୟ ଆନୁସାଙ୍ଗିକ ଭତ୍ତାକୁ ମିଶାଇ ଜଣେ ବିଧାୟକ ମାସକୁ ୯୦ ହଜାର ଟଙ୍କା ବେତନ ମିଳିବ । ପୂର୍ବରୁ ବିଧାୟକମାନେ ଦରମା ଓ ଭତ୍ତା ମିଶାଇ ସମୁଦାୟ ୫୪ ହଜାର ଟଙ୍କା ପାଉଥିଲେ ।
ସୂଚନାଯୋଗ୍ୟ ଯେ ୨୦୧୫ ରେ ଦିଲ୍ଲୀ ସରକାର ବିଧାୟକ ମାନଙ୍କ ଦରମା ବୃଦ୍ଧି ନେଇ ଦିଲ୍ଲୀ ବିଧାନସଭାରେ ଏକ ଆଇନ ପାରିତ କରି କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିଲେ, କିନ୍ତୁ କେନ୍ଦ୍ର ସରକାର ତାକୁ ଅସ୍ୱୀକାର କରିଥିଲେ ।
ସୂଚନା ଥାଉକି ୨୦୧୧ ପରଠାରୁ ଦିଲ୍ଲୀ ସରକାର ବିଧାୟକମାନଙ୍କ ଦରମା ବୃଦ୍ଧି କରି ନଥିଲେ । ଏବେ ଦିଲ୍ଲୀ କ୍ୟାବିନେଟ ପାରିତ କରିଥିବା ଏହି ବିଲ୍ କୁ ସରକାର କେନ୍ଦ୍ର ନିକଟକୁ ପଠାଇବେ । କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିବା ପରେ ଦିଲ୍ଲୀ ସରକାର ପୁଣିଥିରେ ଏହି ବିଲକୁ ବିଧାନସଭାରେ ଉପସ୍ଥାପନ କରିବେ ।
ଆଜି ପାରିତ ହୋଇଥିବା ବିଲ୍ ମୁତାବକ ଜଣେ ବିଧାୟକ
୧- ମାସିକ ଦରମା – ୩୦ ହଜାର ଟଙ୍କା
୨- ନିର୍ବାଚନ କ୍ଷେତ୍ର ପରିଦର୍ଶନ ପାଇଁ ମାସିକ – ୨୫ ହଜାର
୩- ସଚିବାଳୟ ଭତ୍ତା ୧୫ ହଜାର ଟଙ୍କା
୪- ଗାଡି ଖର୍ଚ୍ଚ ୧୫ ହଜାର ଟଙ୍କା
୫- ଟେଲିଫୋନ ଖର୍ଚ୍ଚ ୧୦ ହଜାର ଟଙ୍କା
ସମୁଦାୟ ଜଣେ ବିଧାୟକ ମାସକୁ ୯୦ ହଜାର ଟଙ୍କା ପାଇବେ ।