
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍ କୁ ବଡ ସଫଳତା | ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ କାବୁ କଲା ଦିଲ୍ଲୀ ପୁଲିସ୍ | ଶାହରୁଖ ନାଁରେ ପରିଚିତ ଏହି ଗ୍ୟାଙ୍ଗଷ୍ଟରକୁ ଧରିଛି ପୋଲିସ | ଦିଲ୍ଲୀ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ଥିବା ବେଳେ, ତାକୁ ଧରିବା ପାଇଁ ସବୁଠାରୁ ଅଧିକ ଅର୍ଥାତ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ଶେଷରେ ପୁଲିସ ତା’କୁ ଧରିବାରେ ସକ୍ଷମ ହୋଇଛି। ଶାହରୁଖ ଓ ତା’ର ଅନ୍ୟ ୩ ଜଣ ସହଯୋଗୀଙ୍କୁ ଦିଲ୍ଲୀ ପୁଲିସ୍ ଛତ୍ରପୁର ଅଞ୍ଚଳରୁ ସୋମବାର ଗିରଫ କରିଛି। ଆଜି ଏ ସମ୍ପର୍କରେ ପୁଲିସ୍ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି।
୨୮ ବର୍ଷୀୟ ଗ୍ୟାଙ୍ଗଷ୍ଟର ଶାହରୁଖ ନାଁରେ ୧୦ଟି ଅପରାଧିକ ମାମଲା ରହିଛି। ହତ୍ୟା, ହତ୍ୟା ଉଦ୍ୟମ, ଲୁଟ ଓ ବଟି ଆଦାୟ ଭଳି ମାମଲା ତା’ ନାଁରେ ରୁଜୁ କରାଯାଇଥିଲା। ଶାହରୁଖ ସହ ପୁଲିସ୍ ମଦନଗିରିର ସୋହାଲି ଅର୍ଶଦ, ଟିଗ୍ରୀର ସମୀର ଉମର ଓ ଟୁକମାନ ଗେଟ୍ରେ ରହୁଥିବା ୟୁସୁଫ ଉର ରହମାନକୁ ଗିରଫ କରିଛି।
ସୋମବାର ରାତିରେ ପୁଲିସ୍ ପ୍ରଥମେ ଛତ୍ରପୁର ଅଞ୍ଚଳରେ ଶାହରୁଖ ରହିଥିବା ବିଶେଷ ସୂତ୍ରୁ ଖବର ପାଇଥିଲା। ଏହାପରେ ପୂରା ଯୋଜନା ସହ ଗୋଟିଏ ଟିମ୍ ସେଠାରେ ପହଞ୍ଚିଥିଲା। ଏହି ସମୟରେ ଶାହରୁଖ ଓ ତା’ ସହଯୋଗୀମାନେ ଗୋଟିଏ କାର୍ରେ ବସିଥିଲେ। ପୁଲିସ୍ ସେଠାରୁ ସମସ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଅତ୍ୟାଧୁନିକ ବନ୍ଧୁକ ଓ ଜୀବନ୍ତ ଗୁଳିଗୋଳା ଜବତ କରାଯାଇଛି।
ପୂର୍ବରୁ ମଧ୍ୟ ଶାହରୁଖକୁ ପୁଲିସ୍ ଗିରଫ କରିଥିଲା। ତେବେ ୨୦୨୦ ମେ’ ମାସରେ କରୋନା ଯୋଗୁ ଜରୁରିକାଳୀନ ସ୍ଥିତିରେ ତା’କୁ ପ୍ୟାରେଲୋରେ ଛଡ଼ା ଯାଇଥିଲା। ସେ ବାହାରେ ଥିବା ବେଳେ ପୁଲିସ୍ ତା’ ମେଣ୍ଟୋର ହାସିମ ଓରଫ ବାବା ଓ ରଶିଦକୁ ଗିରଫ କରିଥିଲା। ବାବା ଓ ରଶିଦ ଗିରଫ ହେବାକୁ ପୂରା ଅପରାଧିକ ନେଟୱର୍କକୁ ଶାହରୁଖ ଚଳାଇବା ଆରମ୍ଭ କରିଥିଲା। ଏଥିସହ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା।