ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ଉଠିଲା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଦାବି ନେଇ ରାସ୍ତାକୁ ଓହ୍ଲାଇଲା ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ସଂଘର ଦୀର୍ଘ ଦିନର ଦାବି ପ୍ରତି ରାଜ୍ୟ ସରକାର କର୍ଣ୍ଣପାତ କରୁ ନ ଥିବାରୁ ପ୍ରତିବାଦରେ ଆଜି ସମ୍ବଲପୁର ବନ୍ଦ ଡାକରା ଦେଇଛି। କେବଳ ଆଜି ଗୋଟିଏ ଦିନ ନୁହେଁ, ଏଣିକି ପ୍ରତି ବୁଧବାର ଏହି ବନ୍ଦ ପାଳନ କରାଯିବ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ବଲପୁର ବନ୍ଦ ବେଳେ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ ଅଫିସ ସହ କୋର୍ଟ କାର୍ଯ୍ୟ ବର୍ଜନ କରାଯିବ। ହେଲେ ସମସ୍ତ କେନ୍ଦ୍ର ସରକାର ଅଧିନସ୍ଥ ଅଫିସ୍, ବ୍ୟାଙ୍କ ଓ ବୀମା ପ୍ରତିଷ୍ଠାନ ସମେତ ଶିକ୍ଷାନୁଷ୍ଠାନ ଖୋଲା ରହିବ । ଏଡି ସମୟରେ ବଜାର ଓ ଗାଡି ଚଳାଚଳ ସ୍ୱାଭାବିକ ରହିବ । ପ୍ରତି ବୁଧବାର ଦିନ ଅନୁରୁପ ଢଙ୍ଗରେ ଜିଲ୍ଲା ଓକିଲ ସଂଘ ବନ୍ଦ ପାଳନ କରିବ । ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଜିଲ୍ଲା ଓକିଲ ସଂଘ ବୁଧବାର ଦିନ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନେଇଛି ।
ସେପଟେ ଆଜି ସକାଳେ ଜିଲ୍ଲା ଜଜ୍ କୋର୍ଟ ଅଭିମୁଖେ ଆସୁଥିବା ବେଳେ ତାଙ୍କୁ ମଧ୍ୟ ଓକିଲ ସଂଘ କର୍ମକର୍ତ୍ତା ଅଟକାଇଥିଲେ। ଫଳରେ ସେ ଦୀର୍ଘ ସମୟ ଛିଡ଼ା ହୋଇ ରହିବା ସହ ଓକିଲମାନଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ପରେ ସେ ଆଲୋଚନାରେ ବିଫଳ ହୋଇ ଫେରି।
ଏନେଇ ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ, ଗତ ସେପ୍ଟେମ୍ବର ୨୮ରେ ଲୋକସେବା ଭବନରେ ମନ୍ତ୍ରୀ ଓ ସଚିବ ସ୍ତରୀୟ ଜିଲ୍ଲା ଓକିଲ ସଂଘର କମିଟି ସହ ଆଲୋଚନା ହୋଇଥିଲା। ହେଲେ ଏହାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ରାଜ୍ୟ ସରକାର କେନ୍ଦ୍ରକୁ ପଠାଉ ନାହାନ୍ତି। ରାଜ୍ୟ ସରକାର ନିଜ ପ୍ରତିଶ୍ରୁତିରେ ଖିଲାପ କରିଛନ୍ତି। ଏହାର ପ୍ରତିବାଦରେ ମାସର ପ୍ରତି ବୁଧବାର ଏହି ଢଙ୍ଗରେ ବିରୋଧ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
