
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିବ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟବରଣ କରିଥିବା ସାମ୍ବାଦିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ସରକାର । ପୋଲିସ ବିଭାଗ ତରଫରୁ ୯ ଲକ୍ଷ ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣର ଶିକାର ହୋଇଥିଲେ ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ।
କଳାହାଣ୍ଡିର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଅଞ୍ଚଳର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ଆଜି ଦୁଲେନ କରଲାର୍ଖୁଣ୍ଟା ବ୍ରିଜରେ ମାଓବାଦୀଙ୍କ ପୋଷ୍ଟର ଲାଗି ଥିବାର ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ । ଆଉ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ହିଁ ରାସ୍ତାରେ ବଡ ବିସ୍ଫୋରଣ ହୋଇଥିଲା । ଫଳରେ ଗାଡିରୁ ଛିଟିକି ପଡିଥିଲେ ରୋହିତ । ମୁହଁ ଓ ଶରୀରର ଅନ୍ୟ ଅଙ୍ଗରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ।