ଦଳିତ ପରିବାରକୁ କୋଣାର୍କ ପୋଲିସର ନିର୍ଯ୍ୟାତନା ଅଭିଯୋଗ, ମାଡ଼ ମାରି ଛଡାଇନେଲେ ମୋବାଇଲ

ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ): ଦଳିତ ପରିବାରକୁ କୋଣାର୍କ ପୋଲିସର ଧମକ ସହ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ନିର୍ଯ୍ୟାତନା ଅଭିଯୋଗ। ମାଡ଼ ମାରି ମୋବାଇଲ ଛଡାଇନେଲେ ପୋଲିସ । ପୋଲିସ ଯେ ଆଇନ ହାତକୁ ନେଇ କ’ଣ କରିପାରେ, ତାହା ଦେଖିବାକୁ ମିଳିଛି କୋଣାର୍କ ଥାନା ଅନ୍ତର୍ଗତ ଅନସରା ଗ୍ରାମରେ । ଏହି ଗ୍ରାମର ଦଳିତ ପରିବାର ବାବାଜୀ ସେଠୀ ଓ ତାଙ୍କ ଭାଇ ମାନଙ୍କର କିଛି ବର୍ଷ ହେଲା ଜମିବାଡ଼ି ଗଣ୍ଡଗୋଳ ଲାଗି ରହିଛି । ମାନ୍ୟବର କୋର୍ଟ ମଧ୍ୟ ଏକ ଜମି ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି। ଉଭୟ ପରିବାର କୋର୍ଟରେ କେଶ ଲଢୁଥିବା ବେଳେ ଅପର ପକ୍ଷ ଦ୍ୱାରା ପ୍ରଭାବିତ ହୋଇ କୋଣାର୍କ ପୋଲିସ ବାବାଜୀ ସେଠୀଙ୍କ ପରିବାର ଉପରେ କିଛି ଦିନ ହେଲା ବିନା କାରଣରେ ନିର୍ଯ୍ୟାତନା ଦେଇ ଆସୁଛନ୍ତି ।

ଗତ ୧୮ ଅପ୍ରେଲରେ ଓଡ଼ିଶା ମାନବାଧିକାର କମିଶନରେ କୋଣାର୍କ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ତଦନ୍ତ କରି ପଦକ୍ଷେପ ନେବାକୁ ବାବାଜୀ ସେଠୀଙ୍କ ସ୍ତ୍ରୀ ସବିତା ସେଠୀ ଅଭିଯୋଗ କରିଛନ୍ତି । ମାନ୍ୟବର କମିଶନ ମଧ୍ୟ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ଏଥିରେ ଉତକ୍ଷିପ୍ତ ହୋଇ ଗତ କାଲି ଅପରାହ୍ନରେ କୋଣାର୍କ ଥାନାର ୨ ଜଣ ମହିଳା ଅଧିକାରୀ ବାବାଜୀ ସେଠୀଙ୍କ ଘରେ ପହଞ୍ଚି କୋର୍ଟ ନିର୍ଦେଶ ନଥାଇ ମଧ୍ୟ ଏକ ପୁରୁଣା କୋର୍ଟ ଅର୍ଡର ଦେଖାଇ ପରିବାରର ସମସ୍ତଙ୍କ ଠାରୁ ସାଧା କାଗଜ ରେ ଦସ୍ତଖତ ନେଇଥିଲେ । ମୋବାଇଲରେ ଏହି ଘଟଣାର ରେକର୍ଡିଂ କରୁଥିବା ବାବାଜୀ ସେଠୀଙ୍କ ଝିଅ ରାନୁ ସେଠୀକୁ ତନ୍ମଧ୍ୟରୁ ଜଣେ ପୋଲିସ ଅଧିକାରୀ ମାଡ଼ ମାରି ମୋବାଇଲ ଛଡାଇ ନେଲେ । ପୋଲିସ ମାଡରେ ରାନୁ ଗଭୀର ଆଘାତପ୍ରାପ୍ତ ହୋଇ ଏବେ କୋଣାର୍କ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛି । ଏହି ଘଟଣାର ତଦନ୍ତ ସହ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ବିହୀତ ପଦକ୍ଷେପ ନେବାକୁ ବାବାଜୀ ସେଠୀଙ୍କ ପରିବାର ଦାବି କରିଛନ୍ତି।

Related Posts