ଆହୁରି ତୀବ୍ର ହେବ ଚାଷୀ ଆନ୍ଦୋଳନ : ଜୁନ୍ ୨୬ରେ ସମଗ୍ର ଦେଶରେ ରାଜଭବନ ଘେରାଉ କରିବେ ଚାଷୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମୋଦୀ ସରକାରଙ୍କ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ଆନ୍ଦୋଳନକୁ ତୀବ୍ର କରିବାକୁ ଘୋଷଣା କରିଛନ୍ତି। ଜୁନ୍‌ ୨୬ରେ ସମଗ୍ର ଦେଶରେ ବିକ୍ଷୋଭ କରିବା ପାଇଁ ଚାଷୀ ମାନେ ରଣନୀତି ପ୍ରସ୍ତୁତ କରିଛନ୍ତି । ୨୬ ତାରିଖରେ ଚାଷୀମାନେ ସମସ୍ତ ରାଜ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚ ପକ୍ଷରୁ ଶୁକ୍ରବାର ଦିନ ଏହି ଘୋଷଣା କରାଯାଇଛି। ଚାଷର ସୁରକ୍ଷା ଓ ଗଣତନ୍ତ୍ରର ସୁରକ୍ଷା ଦିବସ ଭାବେ ଜୁନ୍‌ ୨୬ ତାରିଖରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମୋର୍ଚ୍ଚା କହିଛି। ବିକ୍ଷୋଭ ପ୍ରଦର୍ଶନ କରିବା ସହି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଦେଶ୍ୟରେ ଆନ୍ଦୋଳନକାରୀ କୃଷକମାନେ ରାଜ୍ୟପାଳମାନଙ୍କୁ ସ୍ମାରକପତ୍ର ଦେବେ । ସୂଚନାଯୋଗ୍ୟ ଜୁନ୍‌ ୨୬ରେ ଚାଷୀମାନେ କୃଷି ଆଇନ ବିରୋଧରେ କରୁଥିବା ଆନ୍ଦୋଳନକୁ ୭ ମାସ ପୂରୁଛି। ଏ ସମ୍ପର୍କରେ ସୂଚନା ଦେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର ଚାଷୀ ନେତା ଇନ୍ଦରଜିତ ସିଂହ କହିଛନ୍ତି, ସମଗ୍ର ଦେଶରେ ଜୁନ୍‌ ୨୬ରୁ କ୍ଷେତି ବଞ୍ଚାଅ ଓ ଗଣତନ୍ତ୍ର ବଞ୍ଚାଅ ଦିବସ ପାଳନ କରାଯିବ। ଆମେ ମାନେ ରାଜଭବନ ଆଗରେ କଳା ପତାକା ଦେଖାଇ ବିକ୍ଷୋଭ କରିବୁ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳମାନଙ୍କୁ ସ୍ମାରକପତ୍ର ଦେବୁ। ସେହି ଦିନ ୧୯୭୫ ମସିହା ଜୁନ୍‌ ୨୬ରେ ଦେଶରେ ଜରୁରୀ କାଳୀନ ସ୍ଥିତି ମଧ୍ୟ ଲାଗୁ କରାଯାଇଥିଲା। ଏହି ଦିନ ଆମ ଆନ୍ଦୋଳନକୁ ମଧ୍ୟ ୭ ମାସ ପୂରିବ। ବର୍ତ୍ତମାନ ସମୟରେ ଚାଷ କାମ ସହ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ମଧ୍ୟ କ୍ଷୁଣ୍ଣ କରାଯାଉଛି। ଏବେ ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି ବୋଲି ସିଂ କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ଜୁନ୍‌ ୨୪ରେ ସନ୍ତ ରବିଦାସ ଜନ୍ମ ବାର୍ଷିକ ମଧ୍ୟ ଉକ୍ତ ସ୍ଥାନରେ ପାଳନ କରିବେ। ମହିଳା ବିକ୍ଷୋଭକାରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କୃଷକ ନେତା ସୁମନ ହୁଡା କହିଛନ୍ତି ଯେ ଶନିବାର ସନ୍ଧ୍ୟା ସୁଦ୍ଧା ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ସେ କହିଛନ୍ତି, “ଆମେ ମହିଳା ପ୍ରଦର୍ଶନକାରୀଙ୍କ ଠାରୁ ଆମେ କିଛି ଅଭିଯୋଗ ପାଇଛୁ । ମୁଁ ସେମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଏହି କମିଟି କେବଳ ମହିଳାଙ୍କ ସମସ୍ୟାର ସମାଧାନ କରିବ।”

Related Posts