
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାରା ଭାରତରେ ଏବେ କୋଭିଡ୍ ଟିକାର ଘୋର ଅଭାବ ଦେଖାଦେଇଛି। ସମଗ୍ର ଦେଶରେ ଟିକାର ଅଭାବ ଦେଖାଦେଇଥିବା ବେଳେ , ସରକାରୀ ତଥ୍ୟ କହୁଛି ଯେ ମେ ମାସରେ ପ୍ରାଇଭେଟ୍ ହସ୍ପିଟାଲ ଗୁଡିକ ମାତ୍ର ୧୭ ପ୍ରତିଶତ ଟିକା ବ୍ୟବହାର କରିଛନ୍ତି। ଜୁନ୍ ୪ ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ମେ ମାସରେ ଦେଶରେ ୭.୪ କୋଟି ଟିକା ବଣ୍ଟା ଯାଇଥିଲା, ସେଥିମଧ୍ୟରୁ ୧.୮୫ କୋଟି ଡୋଜ କେବଳ ଘରୋଇ ଡାକ୍ତରଖାନା ଗୁଡିକୁ ଦିଆଯାଇଥିଲା। ସମଗ୍ର ଦେଶରେ ଘରୋଇ ଡାକ୍ତରଖାନା ଗୁଡ଼ିକୁ ଦିଆଯାଇଥିବା ୧.୮୫ କୋଟି ଡୋଜ ମଧ୍ୟରୁ ୧.୨୯ କୋଟି ଟିକା ଡୋଜ କିଣି ଥିଲେ। କିନ୍ତୁ ସରକାରୀ ତଥ୍ୟ ଅନୁଯାୟୀ ସେମାନେ କେବଳ ୨୨ ଲକ୍ଷ ଡୋଜ ବ୍ୟବହାର କରିଛନ୍ତି । ତେବେ ଏ ସମ୍ପର୍କରେ ବିଶେଷଜ୍ଞ ମାନଙ୍କ ମତ ହେଉଛି ଯେହେତୁ ସରକାରୀ ଡାକ୍ତରଖାନା ତୁଳନାରେ ଘରୋଇ ଡାକ୍ତରଖାନା ଗୁଡ଼ିକରେ ଟିକାର ଦର ଯଥେଷ୍ଟ ଅଧିକ ରହୁଛି ସେଥିପାଇଁ ଲୋକେ ଘରୋଇ ହସ୍ପିଟାଲରେ ଟୀକା ନେଉ ନାହାନ୍ତି। ତେବେ ୭.୫ ପ୍ରତିଶତ ଡୋଜ୍ ବ୍ୟବହାର କରାଯାଇଥିବା ସମ୍ପର୍କିତ ରିପୋର୍ଟକୁ ସରକାର ଖଣ୍ଡନ କରିଛନ୍ତି। ଏକ ସରକାରୀ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ” କିଛି ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଘରୋଇ ଡାକ୍ତରଖାନାକୁ ୨୫ ପ୍ରତିଶତ ଟିକା ଆବଣ୍ଟିତ କରାଯାଇଛି କିନ୍ତୁ ଏହା ୭.୫ ପ୍ରତିଶତ ଅଟେ । ଏହି ରିପୋର୍ଟଗୁଡିକ ଭୁଲ୍ ବୋଲି କହିବା ସଙ୍ଗେ ସଙ୍ଗେ ଏହା ସରକାରୀ ବିଜ୍ଞପ୍ତି ସହ ମେଳ ଖାଉନଥିବା କୁହାଯାଇଛି ।