ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଅକାଳୀ-ବିଏସପି ଗଠବନ୍ଧନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ରାଜନୈତିକ ସମୀକରଣ ବଦଳିବାକୁ ଯାଉଛି। ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଶିରୋମଣି ଅକାଳୀ ଦଳ (SAD) ଏବଂ ବାହୁଜନ ସମାଜ ପାର୍ଟି (ବିଏସପି) ପଞ୍ଜାବରେ ଗଠବନ୍ଧନ ଘୋଷଣା କରିଛନ୍ତି। ଗତ ବର୍ଷ ମୋଦୀ ସରକାରଙ୍କ ୩ ବିବାଦୀୟ କୃଷି ବିଲ୍ କୁ ନେଇ ଅକଳୀ ଏନଡିଏ ଠାରୁ ସମ୍ପର୍କ ଛିନ୍ନ କରିଥିଲା। ବର୍ତ୍ତମାନ ଶିରୋମଣି ଅକାଳୀ ଦଳ ବିଏସପି ସହ ଗଠବନ୍ଧନ କରି ୨୦୨୨ ବିଧାନସଭା ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବ। ଆଜି ଏ ନେଇ ଅକାଳୀ ଦଳର ମୁଖିଆ ସୁଖବୀର ସିଂ ବାଦଲ ଘୋଷଣା କରିଛନ୍ତି। ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣା ମଧ୍ୟ ହୋଇସାରିଛି। ୨୦୨୨ ବିଧାନସଭା ନିର୍ବାଚନରେ ​​ବିଏସପି ୨୦ ଟି ଆସନ ଏବଂ ଅକାଳୀ ଦଳ ୯୭ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ୧୯୯୬ ଲୋକସଭା ନିର୍ବାଚନର ୨୭ ବର୍ଷ ପରେ ଅକାଳୀ ଦଳ ଏବଂ ବିଏସପି ସହ ହାତ ମିଳାଇଛି। ୧୯୯୬ ଲୋକସଭା ନିର୍ବାଚନରେ ବିଏସପି – ଅକାଳୀ ଏକାଠି ନିର୍ବାଚନ ଲଢି ପଞ୍ଜାବର ୧୩ ଆସନ ମଧ୍ୟରୁ ୧୧ ଟି ଆସନରେ ବିଜୟୀ ହୋଇଥିଲେ । ମାୟାବତୀ ନେତୃତ୍ୱାଧୀନ ବିଏସପି ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଅକାଳୀ ୮ ଟି ଆସନରେ ବିଜୟ ଲାଭ କରିଥିଲା। ବିଧାନସଭା ନିର୍ବାଚନରେ ବିଜେପି , କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ସହ ଗଠବନ୍ଧନ କରାଯିବ ନାହିଁ ବୋଲି ସୁଖବୀର ସିଂ ବାଦଲ ପୂର୍ବରୁ ସ୍ପଷ୍ଟ କରି ଦେଇଥିଲେ। ପଞ୍ଜାବ ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ଦଳିତ ହୋଇଥିବା ବେଳେ ୩୧ ପ୍ରତିଶତ ଦଳିତ ଭୋଟ୍ ଉପରେ ବିଏସପିର ପକଡ ରହିଛି। ସୂଚନାଯୋଗ୍ୟ ଯେ, ଦୋଆବ ଅଞ୍ଚଳର ୨୩ ଟି ଆସନରେ ଦଳିତ ଭୋଟ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ।

Related Posts