ସାମାନ୍ୟ ବଚସାରୁ ପୁଅକୁ ଗୁଳି କରି ମାରିଦେଲା ବାପା, ଅଭିଯୁକ୍ତ ଫେରାର୍

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି। ନିଜ ପୁଅକୁ ଗୁଳି କରି ହତ୍ୟା କଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ କମିସନରେଟ୍‌ ପୁଲିସ ଅନ୍ତର୍ଗତ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ଫାଣ୍ଡି ନିକଟସ୍ଥ ଆଦିବାସୀ ଗାଁ ବେଣ୍ଟୁଆରେ । ସାମାନ୍ୟ ବଚସାକୁ କେନ୍ଦ୍ର କରି ସେହି ଗାଁର ଯଦୁମଣି ମୁଣ୍ଡା ଏକ ଦେଶୀ ବନ୍ଧୁକରୁ ନିଜର ୨୩ ବର୍ଷର ପୁଅ ଶିବଶଙ୍କର ମୁଣ୍ଡାଙ୍କୁ ଗୁଳି କରିଥିଲେ । ତେବେ ଗୁଳିଟି ଶିବଶଙ୍କରର ଡାହାଣ ପାଖ ଛାତିରେ ବାଜିବା କାରଣରୁ ପୁଅ ଶିବଶଙ୍କରର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ତେବେ ସୂଚନା ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଯଦୁମଣି ଗାଁ ଛାଡ଼ି ଫେରାର୍‌ ହୋଇଯାଇଛି । 

ମିଳିଥିବା ସୂଚନା ମୁତାବକ , ଆଦିବାସୀ ଅଧ୍ୟୁଷିତ ଗାଁ ବେଣ୍ଟୁଆରେ ଯଦୁମଣି ମୁଣ୍ଡା ତାଙ୍କ ପରିବାର ସହିତ ରୁହନ୍ତି । ଚାଷବାସ କରିବା ସହ ହାଣ୍ଡିଆ ବିକ୍ରିକରି ଚଳନ୍ତି। କିଛି ବର୍ଷପୂର୍ବେ ସେ ବାରଙ୍ଗ ଥାନାରେ ହୋମ୍‌ଗାର୍ଡ ଭାବେ କାମ କରୁଥିଲା । ଡ୍ୟୁଟିରେ ଅବହେଳା କରିବା କାରଣରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା ପରେ ସେ ଚାଷ କାମ କରୁଛନ୍ତି । ଯଦୁମଣିଙ୍କର ୩ଟି ଝିଅ ଓ ୪ ପୁଅ ଅଛନ୍ତି । ପୁଅଙ୍କ ମଧ୍ୟରେ ଶିବ ହେଉଛି ବଡ଼ । ତେବେ ପୁଅ ଶିବ ମୁଣ୍ଡା ଜଣେ ଶିକ୍ଷିତ ଯୁବକ ଓ ସେ ଭୁବନେଶ୍ୱରରେ ଥିବା ଏକ ଆଦିବାସୀ ସ୍କୁଲ୍‌ରେ ପାଠ ପଢ଼ନ୍ତି ।

ଗାଁ ଲୋକଙ୍କ ସୂଚନା ମୁତାବକ ଶିବ ମୁଣ୍ଡା ଚଳିତ ବର୍ଷ ଯୁକ୍ତ ତିନି ପରୀକ୍ଷା ଦେଇଥିଲେ । ତେବେ ଲକ୍‌ଡାଉନ୍‌ ପରଠାରୁ ସେ ଘରେ ରହୁଥିଲେ । ଏହି ସମୟ ମଧ୍ୟରେ ସେ ବାଇଗଣ ଚାଷ କରି ଚଳୁଥିଲେ । ତେବେ ଯଦୁମଣି ନିଶାଖୋର ହୋଇଥିବାରୁ ଜମିରୁ ଅମଳ ହେଉଥିବା ସବୁ ବାଇଗଣ ବିକି ନିଶା ଖାଏ । ଏଥିପାଇଁ ବାପ-ପୁଅ ମଧ୍ୟରେ ବିବାଦ ଲାଗି ରହିଥିଲା। 

ଶୁକ୍ରବାର ଅପରାହ୍ନ ସମୟରେ ବାଇଗଣ ଚାଷର ଟଙ୍କାକୁ ନେଇ ବାପା ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ଯଦୁମଣି ନିଶାସକ୍ତ ଅବସ୍ଥାରେ ଥିଲା । ଫଳରେ ବାପା-ପୁଅ ମଧ୍ୟରେ ପାଟିତୁଣ୍ଡ ମାରପିଟ୍‌ ହୋଇଥିଲେ । ହଠାତ୍‌ ଯଦୁମଣି ଉତ୍ତ୍ୟକ୍ତ ହୋଇ ଘରେ ଥୁଆ ହୋଇଥିବା ଦେଶୀ ବନ୍ଧୁକ ଆଣି ପୁଅକୁ ଧମକ ଦେବା ଭିତରେ ସେ ଗୋଟେ ରାଉଣ୍ଡ ଗୁଳି ଚଳାଇଦେଇଥିଲା । ଗୁଳିଟି ପୁଅର ଡାହାଣ ଛାତିରେ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ପୁଅର ମୃତ୍ୟୁ ଘଟିଥିଲା। ପୁଅର ମୃତ୍ୟୁ ହୋଇଥିବା ଜାଣି ଯଦୁମଣି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । 

Related Posts