ମୁଜାଫରାବାଦ: ପାକିସ୍ତାନ-ଅଧିକୃତ କାଶ୍ମୀର (ପିଓକେ)ରେ ଗୁରୁବାର ଇଦଗା ମୈଦାନରେ ମୌଳିକ ଅଧିକାର ଦାବିରେ ଶାନ୍ତିପୂର୍ଣ୍ଣ ଭାବେ ଏକତ୍ରିତ ହୋଇଥିବା ହଜାର ହଜାର ନିରୀହ ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନୀ ସେନା ଆଖିବୁଜା ଗୁଳିମାଡ଼ କରିଛି। ଏହି ବର୍ବରକାଣ୍ଡରେ ଅତିକମରେ ୧୬ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଜନସାଧାରଣ ସେମାନଙ୍କ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଶସ୍ତା ଅଟା, ଚାଉଳ, ବିଦ୍ୟୁତ ଓ ନିଜର ମୌଳିକ ସାମ୍ବିଧାନିକ ଅଧିକାର ଦାବି କରି ଏହି ଆନ୍ଦୋଳନ କରୁଥିଲେ, ମାତ୍ର ପାକ୍ ସେନାର ଆକ୍ରମଣ ଯୋଗୁଁ ସମଗ୍ର ଅଞ୍ଚଳ ରଣକ୍ଷେତ୍ରରେ ପରିଣତ ହୋଇଛି। ଗତ ମଙ୍ଗଳବାର ଦିନ ମଧ୍ୟ ପିଓକେରେ ସୁରକ୍ଷାବଳ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ସାଧାରଣ ନାଗରିକଙ୍କ ଉପରେ ବାରମ୍ବାର ପାକ ସେନାର ଅମାନୁଷିକ ଆକ୍ରମଣକୁ ନେଇ ବିଭିନ୍ନ ମାନବାଧିକାର ସଂଗଠନ ଏବଂ ସ୍ଥାନୀୟ ନେତାମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।
