କରୋନାରେ ଚାଲିଗଲେ ଛାତ୍ରଛାତ୍ରୀଙ୍କ ପ୍ରିୟ ଓଡିଆ ଅଧ୍ୟାପକ

ସତ୍ୟପାଠ ବ୍ୟୁରୋ (ଭୁବନେଶ୍ବର): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଛାତ୍ରଛାତ୍ରୀଙ୍କୁ କଥା ଦେଇ ଆଉ ଫେରିଲେନି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବିଡିପୁରସ୍ଥିତ ଟିଏସଡି କଲେଜର ଓଡ଼ିଆ ଅଧ୍ୟାପକ ଜୟସେନ ବିଶ୍ୱାଳ । କହିଥିଲେ ୬ ଦିନ ମଧ୍ୟରେ ପୁଣି ଫେରି ଆସିବେ, କିନ୍ତୁ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। କୋଭିଡ୍ ଆକ୍ରାନ୍ତ ହୋଇ ସେ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ କଲେଜ ପରିଚାଳନା କମିଟି ଅଧୀନରେ କାର୍ଯ୍ୟ କରୁଥିବା ସମୟରେ ଛାତ୍ର ଛାତ୍ରୀ ମାନଙ୍କର ଅତି ପ୍ରିୟ ଥିଲେ । ବିଡିପୁରରେ ଏକ କୋଚିଂ ସେଣ୍ଟରରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢାଉଥିଲେ। କିନ୍ତୁ ୭ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ସେ କୋଚିଂ ବନ୍ଦ କରିବା ସହ ପିଲାଙ୍କୁ କହିଥିଲେ ଆଉ ୬ ଦିନ ପରେ ଆସିବି । କିନ୍ତୁ ତାଙ୍କ କଥା ଅଧାରେ ରହିଗଲା। କରୋନାର କରାଳ ଆଁ ରେ ଚାଲିଯାଇଛନ୍ତି ଆରପାରିକୁ। ତାଙ୍କର ଦେହାନ୍ତରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୧୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related Posts