ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ଡିସେମ୍ବର ୧ରୁ କୋଣାର୍କରେ ଆରମ୍ଭ ହେବ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ। ଗତକାଲି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଚଳିତବର୍ଷ ଇକୋ ରିଟ୍ରିଟ୍‌କୁ ଅଧିକ ଆକର୍ଷଣୀୟ ଓ ମନୋଜ୍ଞ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

ଏନେଇ ସେ କହିଛନ୍ତି ଯେ, ୭୦ଟି ଲଜ୍ ପାଇଁ ଟେଣ୍ଟ କରାଯିବ। ଏହି ଟେଣ୍ଟ ଗୁଡିକରେ ତାରକା ହୋଟେଲ ଭଳି ସୁବିଧା ସୁଯୋଗ ଉପଲବ୍ଧ ହେବ। ଇକୋ ରିଟ୍ରିଟ୍ ସମୟରେ ଜଳକ୍ରୀଡ଼ା, ବିଚ ସ୍ପୋର୍ଟସ ଓ ଇଣ୍ଡୋର ଗେମ ଇତ୍ୟାଦି ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ। ନିରବଛିନ୍ନ ବିଦ୍ୟୁତ, ପାଣି, ମୋବାଇଲ ନେଟଓ୍ୱାର୍କ ସହ ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ, ସୁରକ୍ଷା ବ୍ୟବସ୍ଥା ଓ ୨୪ ଘଣ୍ଟିଆ ଲାଇଫ ଗାର୍ଡ ବ୍ୟବସ୍ଥା କରାଯିବ।

ପର୍ଯ୍ୟଟକମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବାକୁ ସ୍ଥିର ହୋଇଛି। ବିଭାଗ ଗୁଡିକ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ବୈଠକରେ ପରାମର୍ଶ ଦେଛନ୍ତି। ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଓ ଇ-ଫାକ୍ଟର ଏଜେନ୍ସିର ମିଳିତ ସହଯୋଗରେ ଇକୋ ରିଟ୍ରିଟ୍ ଡିସେମ୍ବର ୧ରୁ ୨୦୨୩ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିଜ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୁରୀ ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ବିଦ୍ୟୁତ୍ ବିଭାଗର ଅଧିକାରୀ ଓ ଇକୋ ରିଟ୍ରିଟର ଆୟୋଜନ କରୁଥିବା ଇ-ଫାକ୍ଟରର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।