ଆସୁଛି ଚତୁର୍ଥ ଲହରି: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ

ଭୁବନେଶ୍ୱର: ଦେଶରେ କମିଛି କରୋନାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ହାର କମିଥିବା ବେଳେ, କିନ୍ତୁ ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣ ଚିନ୍ତା ବଢାଇ ଦେଇଛି । ଏହାରି ମଧ୍ୟରେ ଓଡ଼ିଶା ପାଇଁ ସତର୍କ ଘଣ୍ଟି ବାଜି ସରିଛି। ରାଜ୍ୟକୁ ଚତୁର୍ଥ ଲହରି ଆସିବା ଅଧିକ ବିଳମ୍ବ ନୁହେଁ । ଆଗାମୀ କିଛି ସପ୍ତାହ ଭିତରେ ରାଜ୍ୟରେ ସଂକ୍ରମଣ ବଢ଼ିପାରେ । ଆମେରିକାରେ ଓମିକ୍ରୋନର ସବ୍‌ ଭାରିଏଣ୍ଟ ଯୋଗୁ ଦ୍ରୁତ ସଂକ୍ରମଣ ଦେଖାଦେଇଛି । ଦିଲ୍ଲୀରେ ବି ସଂକ୍ରମଣ ବଢ଼ିଲାଣି । ଓଡ଼ିଶାରେ ୧୫ ଦିନ ଭିତରେ ସଂକ୍ରମଣ ବଢ଼ିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ନୀରଜ ମିଶ୍ର କହିଛନ୍ତି ।

ସେପଟେ ରାଜ୍ୟରୁ ଶନିବାର ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା କୋଭିଡ୍‌ ପଜିଟିଭ୍‌ ବାହାରିଛନ୍ତି । ସେ ବିଦେଶରୁ ଫେରିଥିଲେ । ରାଜ୍ୟରେ ଏବେ ମାତ୍ର ୭୪ଜଣ ସକ୍ରିୟ ରୋଗୀ ଅଛନ୍ତି । ତେବେ ଚତୁର୍ଥ ଲହରି ଆସିଲେ ବି ପିଲାଙ୍କ ପାଇଁ ଏହା ଅଧିକ ବିପଜ୍ଜନକ ହେବନି । କିନ୍ତୁ ଟିକା ନେଇନଥିଲେ ତୁରନ୍ତ ନେଇଯିବାକୁ ଡ. ମିଶ୍ର ପରାମର୍ଶ ଦେଇଛନ୍ତି । ଯେଉଁମାନେ ଉଭୟ ଡୋଜ୍‌ ଟିକା ନେଇଛନ୍ତି ସେମାନେ ବୁଷ୍ଟର ଡୋଜ୍‌ ନିଅନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପଟେ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏବେ କରୋନାର ୪ର୍ଥ ଲହର ନେଇ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଶନିବାର ଏଠାରେ ୧୦୯୪ ଜଣ ଲୋକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର ୧୦୪୨ ଜଣ ଲୋକ ସଂକ୍ରମିତ ହୋଇଥିଲେ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୮ ଲକ୍ଷ ୭୩ ହଜାର ୭୯୩ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଶନିବାର କରୋନାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦିଲ୍ଲୀରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬ ହଜାର ୧୬୬କୁ ବୃଦ୍ଧି ପାଇଛି । ଏବେ ଦିଲ୍ଲୀରେ ୩୭୦୫ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଦିଲ୍ଲୀରେ ଗୁରୁବାର ୪.୭୧ ପ୍ରତିଶତ ସହିତ ମୋଟ ୯୬୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବୁଧବାର ୫.୭ ପ୍ରତିଶତ ସଂକ୍ରମଣ ଦର ସହିତ ୧୦୦୯ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ମଙ୍ଗଳବାର ଏହି ସଂଖ୍ୟା ୬୩୨, ଏହାପୂର୍ବରୁ ସୋମବାର ୫୦୧ ଥିଲା । ଦିଲ୍ଲୀରେ କରୋନା ଉପରମୁହାଁ ହୋଇଥିବାରୁ ଏବେ ମାସ୍କରେ ପିନ୍ଧିବା ବାଧ୍ୟତାମୂଳକ କରିଦିଆଯାଇଛି । ରାଜ୍ୟ ସରକାରଙ୍କ ନିୟମ ନ ମାନିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ

Related Posts