ଉତ୍ତରପ୍ରଦେଶ କୋର୍ଟ ସାମ୍ନାରେ ଗ୍ୟାଂଗଷ୍ଟାରକୁ ଗୁଳି କରି ହତ୍ୟା, ଓକିଲ ବେଶରେ ଆସିଥିଲେ ହତ୍ୟାକାରୀ

ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ଆଜି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ କୋର୍ଟ ସାମ୍ନାରେ ଜଣେ ଗ୍ୟାଂଗଷ୍ଟାରକୁ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିକାଣ୍ଡରେ ଜଣେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବା ବେଳେ ହତ୍ୟାକାରୀ ଓକିଲ ବେଶରେ ଆସିଥିବା କୁହାଯାଉଛି। ଏହି ଘଟଣା ପରେ ପୁଣି ଥରେ ୟୂପିରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ଆଜି ୟୁପିର ଲକ୍ଷ୍ନୌ କୋର୍ଟରେ ଗ୍ୟାଂଗଷ୍ଟାର ସଞ୍ଜୀବ ମହେଶ୍ୱରୀକୁ ହାଜର କରିବା ପାଇଁ ନେବା ସମୟରେ କୋର୍ଟ ରୁମ୍ ବାହାରେ ହିଁ ତାକୁ ଗୁଳି କରି ହତ୍ୟା କରାଯାଇଛି। ତେବେ ସଞ୍ଜୀବକୁ ଗୁଳି କରିଥିବା ବ୍ୟକ୍ତି ଜଣକ ଓକିଲ ପୋଷାକରେ ଆସିଥିବା କୁହାଯାଉଛି। ତେବେ ଏହି ଗୁଳିକାଣ୍ଡରେ ଜଣେ କି ଅଧିକ ବ୍ୟକ୍ତି ସଂପୃକ୍ତ ଅଛନ୍ତି ତାହା ଜଣାପଡ଼ିନାହିଁ।

ତେବେ ଗ୍ୟାଙ୍ଗଷ୍ଟାର ସଂଜୀବର ଲମ୍ବା ଅପରାଧିକ ରେକର୍ଡ ରହିଥିବା ବେଳେ ସେ ଦୀର୍ଘବର୍ଷ ଧରି ଜେଲରେ ଥିଲା। ଏକ ରିପୋର୍ଟ ଅନୁସାରେ ସଂଜୀବ ନାଁରେ ଉଭୟ ୟୁପି ଓ ଉତ୍ତରାଖଣ୍ଡରେ ୫୦ ରୁ ଅଧିକ ଅପରାଧିକ ମାମଲା ରହିଛି। ତେବେ ସଂଜୀବ ମାହେଶ୍ୱରୀ ଗ୍ୟାଙ୍ଗଷ୍ଟାର ମୁଖତାର୍ ଅନସାରୀର ସହଯୋଗୀ ଥିଲା ବୋଲି ମଧ୍ୟ କୁହାଯାଉଛି। ତେବେ ୟୁପି ପୋଲିସ ହେପାଜତରେ ଥିବା ଆଉ ଜଣେ ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦ କୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯିବାର ଦୁଇ ମାସ ପରେ କୋର୍ଟ ପରିସରରେ ଆଉ ଜଣେ ଗ୍ୟାଙ୍ଗଷ୍ଟାର କୁ ହତ୍ୟା କରାଯିବା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପୁଣି ପ୍ରଶ୍ନ ଉଠାଇଛି।

Related Posts