ଜଙ୍ଗଲ ସୃଷ୍ଟି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି , ନିୟମ ଖିଲାପ କରୁଛନ୍ତି ଖଣି ଓ ଶିଳ୍ପସଂସ୍ଥା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟ ସରକାର ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପାଇଁ ବାର୍ଷିକ ହାରାହାରି ୧୮୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବାବେଳେ କିଛି ଖଣି କମ୍ପାନୀ ଏବଂ ଶିଳ୍ପସଂସ୍ଥା ଜଙ୍ଗଲ ପଦା କରିବାରେ ଲାଗିଛନ୍ତି । ଏହି ଶିଳ୍ପ ସଂସ୍ଥା ମାନେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଗାଇଡଲାଇନକୁ ଖୋଲା ଖୋଲି ଉଲଂଘନ କରୁଛନ୍ତି ।

ଏଭଳି ଅଭିଯୋଗ ଆସିଛି ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରୁ । ଏହିସବୁ ଜିଲ୍ଲାରେ ଜଙ୍ଗଲ ଏବଂ ପରିବେଶ ବିଭାଗର ସର୍ତ୍ତ ଉଲଂଘନ କରୁଥିବା ଅଭିଯୋଗରେ କେତେକ ଖଣି କମ୍ପାନୀ ଓ ଶିଳ୍ପ ସଂସ୍ଥା ବିରୁଦ୍ଧରେ ମାମଲା ବି ରୁଜୁ ହୋଇଛି । ଯାଜପୁର ଜିଲ୍ଲା ଅର୍ନ୍ତଗତ କଟକ ଜଙ୍ଗଲ ଡିଭିଜନ, କେନ୍ଦୁଝର ଜିଲ୍ଲାର କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ ଓ ସୁନ୍ଦରଗଡର ବଣାଇ, ସୁନ୍ଦରଗଡ ଓ ରାଉକେଲା ଡିଭିଜନରୁ ଏଭଳି ଅଭିଯୋଗ ଆସିଛି । ନିୟମ ଉଲ୍ଲଂଘନ କରୁଥିବା ଏହି ଖଣି କମ୍ପାନୀ ଗୁଡ଼ିକ ମଧ୍ୟରେ ଅଧିକାଂଶ ଲୁହାପଥର ଉତ୍ତୋଲନ ପାଇଁ ଅନୁମତି ପାଇଥିବା ଜଣାପଡିଛି।

ସରକାରୀ ନିୟମ ଅନୁଯାୟୀ ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବିନିଯୋଗ କରିବା ନିମେନ୍ତ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁମୋଦନ ଦେଇଥାନ୍ତି ଏବଂ ଏଥିପାଇଁ କେତେକ ଗାଇଡଲାଇନ ଜାରି କରିଥାନ୍ତି । ଯଦି କୌଣସି ଶିଳ୍ପ କିମ୍ବା ଖଣି କମ୍ପାନୀ ମାନେ ଯେତିକି ପରିମାଣର ଜଙ୍ଗଲ ଦଖଲ କରନ୍ତି ସେହି ପରିମାଣର ଅଣଜଙ୍ଗଲ ଜମି କିମ୍ବା ଦୁଇଗୁଣ ପରିମାଣର ଉଜୁଡା ଜଙ୍ଗଲ ଜମିରେ ନିଜ ଖର୍ଚ୍ଚରେ ବନୀକରଣ କରିବାକୁ ସର୍ତ୍ତାବଳୀ ରହିଛି । ଏବଂ ନିଜ ଅକ୍ତିଆରକୁ ନେଇଥିବା ଜଙ୍ଗଲ ପାଇଁ କ୍ଷତିପୂରଣ ଦେବାର ପ୍ରାବଧାନ ରହିଛି ।

ଏତଦ୍ ବ୍ୟତୀତ ଅଣଜଙ୍ଗଲ ଜମିକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିବା ଏବଂ ଆବଶ୍ୟକ ସ୍ଥଳେ ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା ଦେବା ନିମନ୍ତେ ସ୍ଥାନୀୟ ଲୋକଙ୍କ ନିକଟରୁ ଗ୍ରାମସଭା ଓ ଜିଲ୍ଲାପାଳଙ୍କ ଜରିଆରେ ଅନୁମୋଦନ ଆଣିବା ଓ ଆବଶ୍ୟକସ୍ଥଳେ ପରିବେଶ ସଂକ୍ରାନ୍ତୀୟ ଅନୁମୋଦନ ଦାଖଲ କରିବାର ନିୟମ ରହିଛି ।

ଏସବୁ ନିୟମ ସତ୍ବେ ଜଙ୍ଗଲ ଜମିରେ ଖଣି ଖନନ କିମ୍ବା କାରଖାନା ସ୍ଥାପନା ସମୟରେ ସଂସ୍ଥା ଗୁଡ଼ିକ ନିୟମ ଉଲ୍ଲଙ୍ଘନ କରିଥାନ୍ତି । ବିଶେଷକରି ସେମାନଙ୍କୁ ଯେତିକି ଅଞ୍ଚଳ ଆଲର୍ଟ କରାଯାଇଥାଏ ସେହି ଅବଧି ବାହାରକୁ ଯାଇ ଗଛ କାଟିବା ସହିତ ଖଣି ଖନନ କରିଥାନ୍ତି ।

ସେହିପରି ସଂସ୍ଥା ଗୁଡ଼ିକୁ ଯେତିକି ପରିମାଣର ଜଙ୍ଗଲସୃଷ୍ଟି ପାଇଁ କୁହାଯାଇଥାଏ , ଅନୁମତି ପାଇଲା ପରେ ମଧ୍ୟ ସେମାନେ ସେହି ନୟମ ପାଳନ କରୁନଥିବାର ଦେଖିବାକୁ ମିଳୁଛି । ଶିଳ୍ପ ସଂସ୍ଥା ଗୁଡ଼ିକ ଯେଉଁ କିସମର ଜଙ୍ଗଲ ପଦା କରିଥାନ୍ତି ସେହି କିସମର ଜଙ୍ଗଲ ସୃଷ୍ଟି କରନ୍ତି ନାହିଁ । ତେବେ ଯେଉଁଠାରେ ସର୍ତ୍ତ ଖିଲାପ ଦୃଷ୍ଟିକୁ ଆସେ ସେଠାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । କିନ୍ତୁ ସେତେବେଳକୁ ଖଣି କମ୍ପାନୀ ଏବଂ ଶିଳ୍ପ ସଂସ୍ଥାମାନେ ବ୍ୟାପକ ଜଙ୍ଗଲ ନଷ୍ଟ କରି ସାରିଥାନ୍ତି।

Related Posts