ଏଣିକି ଗୃହରକ୍ଷୀମାନେ ଦୈନିକ ପାଇବେ ୫୩୩ ଟଙ୍କା ବେତନ, ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ବଢିବ ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀଙ୍କ ବେତନ। ଏନେଇ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ଏହାସହିତ ଗୃହରକ୍ଷୀ ମାନଙ୍କୁ ଦୈନିକ ୫୩୩ ଟଙ୍କା ପ୍ରାପ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପିଛିଲା ଭାବେ ୨୦୧୮ ଜୁନ ୧ ତାରିଖରୁ ଏହି ବେତନ ଲାଗୁ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ଏହି ବକେୟା ବେତନ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାକୁ ଚାଲେଞ୍ଚ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାଜ୍ୟ ସରକାର । ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାୟମ ରଖିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟଙ୍କ ଏଭଳି ରାୟ ଦ୍ବାରା ରାଜ୍ୟର ୧୭ହଜାର ୭୬୫ ଗୃହରକ୍ଷୀ ଉପକୃତ ହେବେ। ଏହି ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ ଦ୍ବାରା ସରକାରଙ୍କ ଉପରେ ୧୮୯ କୋଟି ଟଙ୍କାର ବାର୍ଷିକ ଆର୍ଥିକ ବୋଝ ପଡ଼ିବ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୨୦ ଫେବ୍ରୁଆରି ୨୮ରେ ହାଇକୋର୍ଟ ଗୃହରକ୍ଷୀଙ୍କୁ ବର୍ଦ୍ଧିତ ହାରରେ ପ୍ରାପ୍ୟ ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ସପ୍ତମ ବେତନ କମିସନଙ୍କ ସୁପାରିସ ଆଧାରରେ, ଅଗ୍ନିଶମ ଓ ଗୃହରକ୍ଷୀ ମହାନିର୍ଦ୍ଦେଶକଙ୍କ ସୁପାରିସ ତଥା ସୁପ୍ରିମେକାର୍ଟଙ୍କ ୨୦୧୫ର ନିର୍ଦ୍ଦେଶ ଅନୁଯାୟୀ ଗୃହରକ୍ଷୀଙ୍କୁ ପ୍ରାପ୍ୟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୧୬, ନଭେମ୍ବର ୧୦ରୁ ଗୃହରକ୍ଷୀଙ୍କୁ ଦୈନିକ ପ୍ରାପ୍ୟ ଆକାରରେ ୫୩୩ ଟଙ୍କା ପ୍ରଦାନ ପାଇଁ ଜଣିକିଆ ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟର ଦୁଇ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ। ଏ ସଂପର୍କିତ ରିଟ୍ ଅପିଲର ଦୁଇଜଣିଆ ଖଣ୍ଡପୀଠ ଶୁଣାଣି କରି ଦୈନିକ ୫୩୩ ଟଙ୍କା ପ୍ରାପ୍ୟ ସଂକ୍ରାନ୍ତୀୟ ଗୃହରକ୍ଷୀ ମହାନିର୍ଦ୍ଦେଶକଙ୍କ ସୁପାରିସ କାର୍ଯ୍ୟକାରୀ ନିର୍ଦ୍ଦେଶ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ। ଜଣିକିଆ ବିଚାରପତିଙ୍କ ଏ ସଂପର୍କିତ ରାୟକୁ ଖଣ୍ଡପୀଠ କାଏମ ରଖିଥିଲେ। କିନ୍ତୁ ୨୦୧୬, ଜାନୁଆରି ୧୦ରୁ ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ ପାଇଁ ୨୦୨୦, ଫେବ୍ରୁଆରି ୨୮ରେ ପ୍ରଦାନ କରାଯାଇଥିବା ରାୟରେ ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠ ପରିବର୍ତ୍ତନ କରି ୨୦୨୦, ଜାନୁଆରିରୁ ଗୃହରକ୍ଷୀମାନେ ବର୍ଦ୍ଧିତ ପ୍ରାପ୍ୟ ପାଇବେ ବୋଲି ରାୟ ଦେଇଥିଲେ। ସରକାରଙ୍କ ରିଟ୍ ଅପିଲକୁ ଆଂଶିକ ଭାବେ ଗ୍ରହଣ କରି ଖଣ୍ଡପୀଠ ୨୦୨୦, ଅଗଷ୍ଟ ୧୯ରେ ଏପରି ରାୟ ପ୍ରଦାନ କରିଥିଲେ। ଦୁଇଜଣିଆ ଖଣ୍ଡପୀଠଙ୍କ ରାୟ ବିରୋଧରେ ଗୃହରକ୍ଷୀ ଓ ରାଜ୍ୟ ସରକାର ଉଭୟ ସୁପ୍ରିମ‌କୋର୍ଟରେ ପୃଥକ୍‌ ଆବେଦନ ଦାୟର କରିଥିଲେ।

ତେବେ ଏହି ମାମଲାର ଶୁଣାଣି କରିବା ବେଳେ ରାଜ୍ୟ ସରକାରଙ୍କୁ କଡା ଭାଷାରେ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ। ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଗୃହରକ୍ଷୀ ମାନେ ବହୁତ କମ ବେତନ ପାଉଥିବା ନେଇ ଆବେଦନକାରୀ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ବିଶେଷକରି କେଉଁ ରାଜ୍ୟର ଗୃହରକ୍ଷୀ ମାନେ ମାସିକ କେତେ ବେତନ ପାଉଛନ୍ତି ତାହା ମଧ୍ୟ ସୁପ୍ରିମକୋର୍ଟ ଙ୍କୁ ଅବଗତ କରାଇଥିଲେ ଆବେଦନକାରୀ । ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀମାନେ ପୋଲିସ ଭଳି ସମାନ କାର୍ଯ୍ୟ କରୁଥିଲେ ବି ସେମାନଙ୍କ ବେତନ ବୃଦ୍ଧି କରୁ ନଥିଲେ ରାଜ୍ୟ ସରକାର।

ଟ୍ରାଫିକ ଡ୍ୟୁଟି ହେଉ ଅବା ଆଇନ ଶୃଙ୍ଖଳା ହେଉ, ଅବା ରାତି ଡ୍ୟୁଟି ହେଉ ସମସ୍ତ ସ୍ଥାନରେ ଗୃହରକ୍ଷୀ ମାନେ ସଠିକ ଭାବରେ କାର୍ଯ୍ୟ କରୁଛନ୍ତି। ତେବେ ପୋଲିସ ଭଳି ଏମାନେ ସମାନ କାମ କରୁଥିଲେ ବି ଏମାନଙ୍କୁ ସଠିକ ବେତନ ମିଳୁ ନଥିଲା। ଯାହାକୁ ନେଇ ଆବେଦନକାରୀ ପ୍ରଥମେ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ଏପରି ନିର୍ଦ୍ଦେଶ ଆସିବା ପରେ କାର୍ଯ୍ୟରତ ସମସ୍ତ ଗୃହରକ୍ଷୀ ଏବେ ଉପକୃତ ହେବେ।

Related Posts