ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ସହ ଦୁର୍ବ୍ୟବହାର ମାମଲାର ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ | ହାଇକୋର୍ଟ ନିଜ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରି ଏହାର ଶୁଣାଣି କରିଛନ୍ତି। ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂଙ୍କ ଅଧକ୍ଷାତାରେ ଦୁଇ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି | ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଶୁଣାଣି ବେଳେ ପ୍ରତିନିଧିତ୍ବ କରୁଥିଲେ | ଶୁଣାଣି ବେଳେ ମିଡ଼ିଆରେ ଯେଭଳି ସମ୍ପୃକ୍ତ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କର ଭିଡିଓ ଭାଇରାଲ କରାଯାଉଛି ଓ ପରିଚୟକୁ ମଧ୍ୟ ପ୍ରକାଶ କରାଯାଉଛି ତାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ |
ଏଥିସହିତ ଶୁଣାଣି ବେଳେ ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ବୈଦ୍ୟୁତିକ, ଛାପା ଓ ସାମାଜିକ ଗଣମାଧ୍ୟମରେ ସେମାନଙ୍କର ନାଁ, ମେଜର କେଉଁ ଜାଗାରେ ଅବସ୍ଥାପିତ ସେନେଇ ପ୍ରକାଶ ନ କରିବାକୁ ନିର୍ଦେଶ ଦେଇଛନ୍ତି। ସେହିପରି ତାଙ୍କ ବାନ୍ଧବୀଙ୍କ ନାଁ, ବାପାଙ୍କ ପରିଚୟ ପ୍ରକାଶ କରିବାକୁ ରୋକ ଲଗାଇଛନ୍ତି | ଏଥିସହିତ ଶୁଣାଣି ବେଳେ ମୁଖ୍ୟ ବିଚାରପତି, ଖବର ପରିବେଷଣ ବେଳେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଭାବମୂର୍ତ୍ତି ଓ ସମ୍ମାନ ଯେଭଳି କ୍ଷୁର୍ଣ୍ଣ ନହୁଏ ସେନେଇ ଧ୍ୟାନ ଦେବାକୁ ମିଡ଼ିଆକୁ ନିର୍ଦେଶ ଦେଇଛନ୍ତି |
ଶୁଣାଣି ସମୟରେ ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଥିଲେ ଯେ, ଏଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି | ଆଉ ମିଡ଼ିଆ ଏକପ୍ରକାର ଟ୍ରାଏଲ କରୁଛି | ଏହାକୁ ନେଇ ମୁଖ୍ୟ ବିଚାରପତି କହିଥିଲେ ଯେ, ମିଡ଼ିଆ ଟ୍ରାଏଲ ଉପରେ ଅଦାଲତ ରୋକ ଲଗାଇ ପାରିବେ ନାହିଁ | ଯଦି ମିଡ଼ିଆ ତଥ୍ୟ ପ୍ରମାଣ ସହିତ ଖବର ପରିବେଷଣ କରୁଛି ତାହେଲେ ଏଥିରେ କୌଣସି ଅସୁବିଧାନନାହିଁ | କିନ୍ତୁ ବିନା ତଥ୍ୟ ପ୍ରମାଣରେ ଉଭୟ ମେଜର ଓ ତାଙ୍କ ବାନ୍ଧବୀଙ୍କ ସମ୍ମାନ କ୍ଷୁର୍ଣ୍ଣ କଲେ କଡା କାର୍ଯ୍ୟାନୁଷ୍ଠାନ ସହିତ ଗିରଫ କରିବାକୁ କୋର୍ଟ କହିଛନ୍ତି |