ବରଗଡ଼,  (ସତ୍ୟପାଠ ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ ଅଧୀନ କଟାଭାଲ ଗ୍ରାମ ପଞ୍ଚାୟତର ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ) କାର୍ତ୍ତିକେଶ୍ୱର ବେହେରାଙ୍କ ବାସଭବନ ସମତେ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଗାଇସିଲେଟ୍ ନିକଟ କନ୍ଦାଗଡ଼ରେ ଥିବା ଶ୍ରୀ ବେହେରାଙ୍କ ଦୁଇ ମହଲା ବିଶିଷ୍ଟ ଆବାସିକ କୋଠା, କନ୍ଦାଗଡ଼ରେ ଥିବା ୬ଟି କୋଠରୀ ବିଶିଷ୍ଟ ଏକ ମାର୍କେଟ୍ କମ୍ପ୍ଲେକ୍ସ,  କନ୍ଦାଗଡ଼ରେ ଥିବା ୩ଟି କୋଠରୀ ବିଶିଷ୍ଟ ଏକ ଗୋଦାମ, ଗାଇସିଲେଟ୍‌ରେ ନିର୍ମାଣାଧୀନ ୪ ମହଲା ବିଶିଷ୍ଟ କୋଠା, କନ୍ଦାଗଡ଼ସ୍ଥିତ ତାଙ୍କ ପୈତୃକ ଗାଁରେ ଥିବା ଘର, ବରଗଡ଼ ଜିଲ୍ଲା କଟାଭାଲ ଗ୍ରାମ ପଞ୍ଚାୟତରେ ଥିବା ପିଇଓଙ୍କ କାର୍ଯ୍ୟାଳୟ କକ୍ଷରେ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉ େବଳେ ବାସଭବନରୁ ୨.୯୮ ଲକ୍ଷ ଟଙ୍କା ଜବତ କରାଯାଇଛି। ୨୨ ସେପ୍ଟେମ୍ବର ୨୦୨୬ରେ, ଜଣେ ପିଇଓ ଭାବେ କାର୍ଯ୍ୟରତ କାର୍ତ୍ତିକେଶ୍ୱର ବେହେରାଙ୍କ ବିରୋଧରେ ତାଙ୍କ ଜଣାଶୁଣା ଆୟର ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ଆସିବା ପରେ ଏହି ଚଢ଼ଉ କରାଯାଇଛି। ସେ କଟାଭାଲ ଜିପିର ପିଇଓ ଥିବା ସହ ଗାଇସିଲେଟ୍ ବ୍ଲକ୍ ଅଧୀନ ଫିରିଙ୍ଗିମାଲ ଜିପି ଓ ଗୌରେନମୁଣ୍ଡା ଜିପିର ଭାରପ୍ରାପ୍ତ ପିଇଓ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ୫ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍‌ଆଇ ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍‌ ଏହି ଚଢ଼ଉ କରୁଛି। ବର୍ତ୍ତମାନ ସୁଦ୍ଧା  ଚଢ଼ଉ ଜାରି ରହିଛି। ପରବର୍ତ୍ତୀ ରିପୋର୍ଟ ପରେ ପ୍ରକାଶ କରାଯିବ।

ସୂଚନାଯୋଗ୍ୟ, ଶ୍ରୀ ବେହେରା ୧୯୯୪ ମସିହା ଜୁଲାଇ ମାସରେ ଗାଇସିଲେଟ୍ ଗ୍ରାମ ପଞ୍ଚାୟତର ସମ୍ପାଦକ ଭାବରେ ମାସିକ ୫୦୦ ଟଙ୍କା ପ୍ରାରମ୍ଭିକ ଦରମାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ୪.୬.୨୦୦୯ ରେ ତାଙ୍କୁ ଭିଏଲଡବ୍ଲୁ ପଦବୀକୁ ପଦୋନ୍ନତି ଦିଆଯାଇଥିଲା। ୨୦୧୨ ମସିହାରେ ଏହି ପଦବୀର ନାମ ପରିବର୍ତ୍ତନ କରାଯାଇ ପିଇଓ ରଖାଯାଇଥିଲା। ସେ ବର୍ତ୍ତମାନ ବରଗଡ଼ ଜିଲ୍ଲାର ଗାଇସିଲେଟ୍ ବ୍ଲକ୍ ଅନ୍ତର୍ଗତ କାଟାଭାଲ୍ ଗ୍ରାମ ପଞ୍ଚାୟତରେ ପିଇଓ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଏହା ସହିତ ଫିରିଙ୍ଗିମାଲ୍ ଓ ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତର ପିଇଓ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ସେ ବରଗଡ଼ ଜିଲ୍ଲାରେ ୩୦ ବର୍ଷରୁ ଅଧିକ ସମୟ ଧରି ସେବା ପ୍ରଦାନ କରିଆସୁଛନ୍ତି। ତାଙ୍କର ବର୍ତ୍ତମାନର ଦରମା ୫୨,୩୨୦ ଟଙ୍କା ।