
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତର ପ୍ରଦେଶ ସରକାରଙ୍କ କରୋନା ପରିଚାଳନା ଅବ୍ୟବସ୍ଥା ଦେଖି ରାଜ୍ୟ ସରକାରଙ୍କୁ କଡା ଭର୍ତ୍ସନା କରିଥିଲେ ଆଲାହାବାଦ ହାଇକୋର୍ଟ। କରୋନାକୁ ନେଇ.ରାଜ୍ୟର ସ୍ଥିତି ଯାହା ଆଗାମୀ ଦିନରେ ରାଜ୍ୟକୁ ‘ରାମ ଭରୋସେ’ (ଭଗବାନ ରାମଙ୍କ ଭରସା) ବୋଲି କୋର୍ଟ କହିଥିଲେ । ତେବେ ହାଇକୋର୍ଟଙ୍କ ଏଭଳି ମନ୍ତବ୍ୟ ଉପରେ ରୋକ୍ ଲଗାଇବାକୁ ସୁପ୍ରିମ କୋର୍ଟ ମନା କରି ଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସରକାର ହାଇକୋର୍ଟଙ୍କ ରାୟକୁ ବିରୋଧ କରିବା ପରିବର୍ତ୍ତେ ପରାମର୍ଶ ଭାବରେ ଗ୍ରହଣ କରିବା ଉଚିତ। ସୁପ୍ରିମକୋର୍ଟ କହିଛନ୍ତି ହାଇକୋର୍ଟ କୋଭିଡ୍ ସମ୍ପର୍କିତ ମାମଲାରେ ଏମିତି କିଛି ଆଦେଶ ନ ଦିଅନ୍ତୁ ଯାହା କାର୍ଯ୍ୟକାରୀ କରିବା ଅସମ୍ଭବ। ଗତ କିଛିଦିନ ତଳେ ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ପ୍ରତ୍ୟେକ ଗାଁରେ ଆଇସିୟୁ ସୁବିଧା ସହିତ ଦୁଇଟି ଆମ୍ବୁଲାନ୍ସ ଯୋଗାଇବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୟୁପିର ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି କୁ ନେଇ କୋର୍ଟ କହିଥିଲେ ଯେ, ଏହି କିଛି ମାସ ମଧ୍ୟରେ ଆମେ ହୃଦୟଙ୍ଗମ କରିଛୁ ଯେ ମହାମାରୀ ପୂର୍ବରୁ ଯଦି ସ୍ବାସ୍ଥ୍ୟ ସେବା ଏତେ ଖରାପ ଥିଲା ତେବେ ମହାମାରୀ ସମୟରେ ଏହା ଅଧିକ ଚିନ୍ତାଜନକ। ଦ୍ୱିତୀୟ ଲହରରେ ଗ୍ରାମାଞ୍ଚଳ ଅତ୍ୟଧିକ ପ୍ରଭାବିତ ହେଉଥିବା ବେଳେ ଆଲାହାବାଦ ହାଇକୋର୍ଟ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଦେଖି ଉଦବେଗ ପ୍ରକାଶ କରିଥିଲେ। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ “ରାମ ଭରୋସେ” ଭଳି ମନ୍ତବ୍ୟ ହାଇକୋର୍ଟ ଦେବା ପରେ ଏହା ସ୍ୱାସ୍ଥ୍ୟ କର୍ମୀଙ୍କୁ ନିରାଶ କରାଏ । ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ , ହାଇକୋର୍ଟଙ୍କ ରାୟକୁ ବିରୋଧ କରିବା ପରିବର୍ତ୍ତେ ପରାମର୍ଶ ଭାବରେ ଗ୍ରହଣ କରିବା ଉଚିତ। କରୋନାର ଦ୍ବିତୀୟ ଲହରରେ ଉତ୍ତରପ୍ରଦେଶ ଅଧିକ ପ୍ରଭାବିତ ହୋଇଛି। ରାଜ୍ୟରେ ଅକ୍ସିଜେନର ଅଭାବ ସାଙ୍ଗକୁ ମେଡିକାଲରେ ବେଡ୍ ନ ମିଳୁଥିବା ହେତୁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏମିତିକି ଲୋକେ କୋଭିଡ୍ ରୋଗୀଙ୍କ ଶବକୁ ଗଙ୍ଗା ନଦୀରେ ଫିଙ୍ଗି ଦେଉଛନ୍ତି।