
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି।ଏହାମଧ୍ୟରେ ଆଜି ଖୋଲା ଯାଇଛି ହୀରକୁଦ ଜଳଭଣ୍ଡାରର ଗେଟ୍। ହୀରାକୁଦ ମୁଖ୍ୟ ବନ୍ଧରୁ ବିଧିବଦ୍ଧ ଭାବରେ ପୂଜା ଅର୍ଚ୍ଚନା ପରେ ଏହି ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ପୂଜାର୍ଚ୍ଚନା ପରେ ଜଳଭଣ୍ଡାରର ୭ ନମ୍ବର ଗେଟ୍ ଖୋଲା ଯାଇ ଜଳ ନିଷ୍କାସନ ଆରମ୍ଭ ହୋଇଛି। ବର୍ତ୍ତମାନ ମୋଟ ୫ଟି ଗେଟ୍ ମଧ୍ୟ ଦେଇ ଜଳ ନିଷ୍କାସନ ଜାରି ରହିଛି।
ରାଜ୍ୟରେ ମୌସୁମୀ ବର୍ଷା କାରଣରୁ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ତାହା ସହ ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦରେ ମଧ୍ୟ ଜଳସ୍ତର ଅପେକ୍ଷାକୃତ ବୃଦ୍ଧି ପାଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ହୀରାକୁଦରେ ୫ଟି ଗେଟ୍ ଖୋଲାଯାଇଛି। ନିର୍ଦ୍ଧାରିତ ସମୟ ସକାଳ ୧୧ଟା ସୁଦ୍ଧା ହୀରାକୁଦର ଗେଟ୍ ଖୋଲା ଯାଇଛି। ଏ ନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ହୀରାକୁଦ ଗେଟ୍ ଖୋଲି ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା କରାଯାଉଛି । ସ୍ଥିତିକୁ ଦେଖି ତଳିଆ ଅଞ୍ଚଳ ର ଜିଲ୍ଲା ପ୍ରଶାସନ ନିଷ୍ପତି ନେବାକୁ ହୀରାକୁଦ ତଳେ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।