ବାଦଲଫଟା ବର୍ଷା ପଛରେ ବିଦେଶୀ ଷଡ଼ଯନ୍ତ୍ର: କେସିଆର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନାରେ ପ୍ରାୟ ସପ୍ତାହେ ଧରି ଲଗାଣ ବର୍ଷା ହେବାରେ ଲାଗିଛି । ଯାହା ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି । ଏହି ଅବସରରେ ବନ୍ୟାପ୍ମାବିତ ଗୋଦାବରୀ ଅଞ୍ଚଳ ଗସ୍ତ କରି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଲେ ଯେ ଏହି ଯେଉଁ ବନ୍ୟା ହୋଇଛି ଏହା ହେଉଛି ବାଦଲଫଟା ବର୍ଷାର ଫଳ ଏବଂ ଏହି ବାଦଲଫଟା ବର୍ଷା ହେଉଛି ବିଦେଶୀ ଷଡଯନ୍ତ୍ରର ଫଳ । ସେପଟେ ବନ୍ୟାଗ୍ରସ୍ତ ଭଦ୍ରାଚଳମରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଲେ ଆଗରୁ ବାଦଲ ଫଟା ଶବ୍ଦ ଆମ କାନ ଉଠିଲା ଦିନୁ ଶୁଣି ନଥିଲୁ । ଲୋକେ କହୁଛନ୍ତି ଏହା ପଛରେ ଷଡଯନ୍ତ୍ର ଅଛି । କେତେକ ବାହାର ଦେଶର ଲୋକ ଜାଣିଶୁଣି ଭାରତର କେତେକ ଅଞ୍ଚଳରରେ ବାଦଲଫଟା ବର୍ଷା କରାଉଛନ୍ତି । ତେବେ ଆମେ ଜାଣିନୁ ସେ କଥା କେତେ ସତ । ଅତୀତରେ ସେମାନେ କାଶ୍ମୀର, ଲଦାଖ-ଲେହ, ତା’ପରେ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା କରାଇଲେ । ଏବେ ତେଲେଙ୍ଗାନାର ଗୋଦାବରୀ ଅଞ୍ଚଳରେ ସେମାନେ ଏହି ବର୍ଷା କରାଉଛନ୍ତି ବୋଲି କେସିଆର କହିଥିଲେ ।

୨୦ ରୁ ୩୦ କିମି ପରିଧି ଭିତରେ ଅଳ୍ପ ସମୟରେ ଅଧିକ ବର୍ଷା ହେଲେ ଏହାକୁ ପାଣିପାଗ ବିଭାଗ ଆଜିକାଲି ବାଦଲଫଟା ବର୍ଷା ବୋଲି କହୁଛନ୍ତି । ଏପରି ବର୍ଷା ହେଲେ ତା’ ସଙ୍ଗେ ସଙ୍ଗେ ବନ୍ୟା ବି ହୁଏ । ଏହା ଏକ ପ୍ରାକୃତିକ ଘଟଣା । ଜଳବାୟୁ ପରିବର୍ତ୍ତନ ଯୋଗୁ ଆଜିକାଲି ପାଣିପାଗରେ ଅସ୍ୱାଭାବିକତା ଦେଖାଯାଉଛି ବୋଲି କୁହାଯାଇପାରେ । କିନ୍ତୁ କୌଣସି ବିଦେଶୀ ଶକ୍ତି ଏହା ପଛରେ ଅଛି ବୋଲି ଜଣେ ମୁଖ୍ୟମନ୍ତ୍ରୀ କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଭିନ୍ନ ମହଲ ମତ ଦେଇଛନ୍ତି । କେସିଆର ଏପରି ମତ ଦେବା ସମୟରେ ମଞ୍ଚ ଉପରେ ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ସୋମେଶ କୁମାର ଏବଂ ଅନ୍ୟ ନେତା ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts